ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ଓ କୋଲକାତା
ନୂଆଦିଲ୍ଲୀ : ବିଶ୍ୱର ଅଧିକାଂଶ ସହରର ପ୍ରଦୂଷଣ ମାତ୍ରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ବାୟୁ ପ୍ରଦୂଷଣ ଗାଇଡଲାଇନରଠାରୁ ଯଥେଷ୍ଟ ଅଧିକ । ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଭାରତର ଦୁଇ ପ୍ରମୁଖ ସହର ଦିଲ୍ଲୀ ଓ କୋଲକାତା ପ୍ରଦୂଷଣ ତାଲିକାର ୧ନଂ ଏବଂ ୨ନଂ ସ୍ଥାନରେ ରହିଛନ୍ତି । ବିପଦପୂର୍ଣ୍ଣ ପାର୍ଟିକ୍ୟୁଲେଟ ମ୍ୟାଟର (ପିଏମ୨.୫) ଏଠାରେ ଯଥେଷ୍ଟ ଅଧିକ । ପିଏମ ୨.୫ ଅଧିକ ରହୁଥିବା ବିଶ୍ୱର ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ ୧ନଂ ଓ କୋଲକାତା ୨ନଂ ସ୍ଥାନରେ ରହିଛନ୍ତି । ସେହିପରି ବାୟୁମଣ୍ଡଳକୁ ନାଇଟ୍ରୋଜେନ ଡାଇଅକ୍ସାଇଡ୍ (ଏନଓ୨) ନିର୍ଗତ କରୁଥିବା ସହର ତାଲିକାରେ ଚାଇନାର ଶାଙ୍ଘାଇ ୧ନଂ ଓ ରୁଷର ମସ୍କୋ ୨ନଂ ସ୍ଥାନରେ ରହିଛନ୍ତି । ଆମେରିକା ଭିତିକ ହେଲ୍ଥ ଇଫେକ୍ଟସ ଇନଷ୍ଟିଚ୍ୟୁଟର ଷ୍ଟେଟ ଅଫ ଗ୍ଲୋବାଲ ଏୟାର ଇନିସିଏଟିଭ ପକ୍ଷରୁ ଏପରି ତାଲିକା ଜାରି କରାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ ୨୦୧୦ରୁ ୨୦୧୯ ମଧ୍ୟରେ ସହରଗୁଡ଼ିକର ବାୟୁର ଗୁଣବତା ଓ ସ୍ୱାସ୍ଥ୍ୟ ଜନିତ ତଥ୍ୟକୁ ଆଧାର କରି ତାଲିକା ପ୍ରସ୍ତୁତ କରାଯାଇଛି । ତଥ୍ୟରୁ ଜଣାପଡ଼ିଛି ଯେ ଦୁଇ ପ୍ରକାରର ପ୍ରଦୂଷଣ ବାୟୁମଣ୍ଡଳରେ ବଢ଼ିବାରେ ଲାଗିଛି । ସ୍ୱଳ୍ପ ଓ ମଧ୍ୟମ ଆୟ କରୁଥିବା ଦେଶଗୁଡ଼ିକର ସହରରେ ପିଏମ ୨.୫ ପ୍ରଦୂଷଣ ଅଧିକ ରହୁଛି । ସେହିପରି ବିକଶିତ ରାଷ୍ଟ୍ରଗୁଡ଼ିକରେ ଥିବା ସହରଗୁଡ଼ିରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍ (ଏନଓ୨) ଜନିତ ପ୍ରଦୂଷଣ ଅଧିକ ଦେଖିବାକୁ ମିଳୁଛି । କିଛି ସ୍ୱଳ୍ପ ଓ ମଧ୍ୟମ ଧରଣର ଆୟକାରୀ ଦେଶର ସହରଗୁଡ଼ିକରେ ମଧ୍ୟ ନାଇଟ୍ରୋଜେନ ଡାଇଅକ୍ସାଇଡ୍ ଜନିତ ପ୍ରଦୂଷଣ ବୃଦ୍ଧି ପାଉଛି । ବୋଷ୍ଟନରେ ରିଲିଜ କରାଯାଇଥିବା ଏହି ରିପୋର୍ଟ ପ୍ରସ୍ତୁତ କରାଯିବା ପୂର୍ବରୁ ବଶ୍ୱର ୭୦୦ରୁ ଅଧିକ ସହରର ବାୟୁ ପ୍ରଦୂଷଣ ଓ ସ୍ୱାସ୍ଥ୍ୟଗତ ପ୍ରଭାବ ସମ୍ପର୍କିତ ତଥ୍ୟକୁ ବିସ୍ତୃତ ଭାବେ ତର୍ଜମା କରାଯାଇଥିଲା । ଜୀବଜଗତ ପାଇଁ ଘାତକ ସାଜୁଥିବା ପିଏମ ୨.୫ ଓ ଏନ୍ଓ୨ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ୨୦୧୯ରେ ୧.୭ ନିୟୁତ ଲୋକ ପିଏମ ୨.୫ ଜନିତ ପ୍ରଦୂଷଣ ଯୋଗୁ ପ୍ରାଣ ହରାଇଥିଲେ । ୭,୨୩୯ଟି ସହରରେ ଏତେ ସଂଖ୍ୟକ ଲୋକ ବାୟୁରେ ଥିବା ପିଏମ ୨.୫ ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଏସିଆ, ଆଫ୍ରିକା, ପୂର୍ବ ଓ କେନ୍ଦ୍ରୀୟ ୟୁରୋପରେ ପ୍ରଦୂଷଣର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛି । ଏହାପୂର୍ବରୁ ଏଚ୍?ଇଆଇ କହିଥିଲା ଯେ ୨୦୧୯ରେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ୬.୭ ମିଲିନୟ ଲୋକଙ୍କ ଜୀବନ ନେଇଥିଲା । ବାୟୁ ପ୍ରଦୂଷଣର ସବୁଠାରୁ ଅଧିକ ପ୍ରଭାବ ଯୁବବର୍ଗ, ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଉପରେ ପଡ଼ୁଛି । ସେହିପରି ପିଏମ ୨.୫ ଯୋଗୁ ପ୍ରଦୂଷିତ ହୋଇଥିବା ବିଶ୍ୱର ଟପ୍ ୧୦ ସହରର ମଧ୍ୟରେ ଦିଲ୍ଲୀ, କୋଲକାତା, କାନୋ (ନାଇଜେରିଆ), ଲିଆମ (ପେରୁ), ଢାକା (ବାଂଲାଦେଶ), ଜାକର୍ତା (ଇଣ୍ଡୋନେସିଆ), ଲାଗୋସ (ନାଇଜେରିଆ), କରାଚି (ପାକିସ୍ତାନ), ବେଜିଂ (ଚାଇନା) ଓ ଆଙ୍କାରା (ଘାନା) ରହିଛନ୍ତି । ସେହିପରି ଶାଙ୍ଘାଇ, ମସ୍କୋ, ତେହରାନ (ଇରାନ), ସେଂଟ ପିଟର୍ସବର୍ଗ (ରୁଷ), ବେଜିଂ (ଚାଇନା), କାଇରୋ (ଇଜିପ୍ଟ), ଅଶଗାବଟ (ତୁର୍କିମେନିସ୍ତାନ), ମିନସ୍କ (ବେଲାରୁଷ), ଇସ୍ତାନବୁଲ (ତୁର୍କୀ) ଓ ହୋ ଚି ମିନ ସିଟି (ଭିଏତନାମ) ନାଇଟ୍ରୋଜେନ ଡାଇଅକ୍ସାଇଡ୍ ଜନିତ ପ୍ରଦୂଷିତ ହେଉଥିବା ଟପ୍ ୧୦ ସହର ।
