ଦୀନକୃଷ୍ଣ ସ୍ମୃତି ପରିଷଦ ପକ୍ଷରୁ ଗୁରୁ ଓ କବି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ଜୟନ୍ତୀ ପାଳିତ
ଜଳେଶ୍ୱର : ବାଲେଶ୍ୱର ଜିଲାର ଅନ୍ୟତମ ପୁରାତନ ଉଚ୍ଚ ବିଦ୍ୟାଳୟ ଲକ୍ଷ୍ମଣନାଥ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ କବି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ୧୨୦ତମ ଜୟନ୍ତୀ ଦୀନକୃଷ୍ଣ ସ୍ମୃତି ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ତାରୁଣ୍ୟ ମିଳନୀ କକ୍ଷ ପରିସରରେ ଆୟୋଜିତ ଏହି ଉତ୍ସବରେ ପରିଷଦର ସଭାପତି ବ୍ରଜେନ୍ଦ୍ର ନାଥ ଗିରି ଅଧ୍ୟକ୍ଷତା କରି ସ୍ୱାଗତ ଓ ସୂଚନା ପ୍ରଦାନ କରିଥିଲେ । ଗୁରୁ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଦୀର୍ଘବର୍ଷ ଧରି ଲକ୍ଷ୍ମଣନାଥ ହାଇସ୍କୁଲରେ ପ୍ରଧାନ ଶିକ୍ଷକଭାବେ ରହିଥିବାରୁ ତାଙ୍କ ଶିକ୍ଷାଦର୍ଶକୁ ନେଇ ଶିକ୍ଷା-ଶିକ୍ଷକ ଓ ଶିକ୍ଷାୟତନ ଶୀର୍ଷକ ଆଲୋଚନାଚକ୍ରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବିଜୟ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଓ ଅଧ୍ୟାପିକା କଳ୍ପନା ଘୋଷ ମୁଖ୍ୟବକ୍ତାଭାବେ ଯୋଗ ଦେଇ ତାଙ୍କୁ ଜଣେ ନିଆରା ମଣିଷ ଓ ଜଣେ ବ୍ୟକ୍ତି ନୁହନ୍ତି, ଜଣେ ଅନୁଷ୍ଠାନ ହୋଇଥିବାରୁ ସେ ଚିରଦିନ ଅମର ଓ ଅକ୍ଷୟ ହୋଇ ରହିବେ ବୋଲି କହିଥିଲେ । ପଶ୍ଚିମବଂଗ ଓ ବାଲେଶ୍ୱର ଜିଲାରେ ସେ ବହୁ ଛାତ୍ରଙ୍କୁ ଶିକ୍ଷାଦାନ ଦେଇ ଉଚ୍ଚ ପଦପଦବୀରେ ଅବସ୍ଥାନ କରାଇ ଥିବାରୁ ତଥା ଜଣେ କବିଭାବେ ୧୨୦ବର୍ଷ ଧରି ସମସ୍ତଙ୍କ ହୃଦୟରେ ବଂଚିପାରିଥିବା କହିଥିଲେ । ପରିଷଦର ସଂପାଦକ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ କବିଙ୍କ ଜୀବଦ୍ଦଶାର ଏଜାବ୍ ଦୀର୍ଘ ୪୧ବର୍ଷ ଧରି ନିରବଛିନ୍ନଭାବେ ପରିଷଦ ପକ୍ଷରୁ ତାଙ୍କ ଜୟନ୍ତୀ ପାଳନ କରାଯାଇ ଆସୁଥିବାର ସୂଚନା ଦେବା ସହ ତାଙ୍କ ସମସ୍ତ ସୃଷ୍ଟିକୁ ମୂଲ୍ୟାଙ୍କନ କରାଯାଇ ପାରିଲେ ତାଙ୍କୁ ଯଥାର୍ଥ ସମ୍ମାନ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ପଦ୍ମଲାଭ ପ୍ରଧାନ, ରମେଶଚନ୍ଦ୍ର ଜେନା, ସୁବଳ ଚନ୍ଦ୍ର ପରିଡା, କାର୍ତ୍ତିକ ଚନ୍ଦ୍ର ଦାସ, ହେମନ୍ତ କୁମାର ଦାସ, ଗଣେଶ ଚନ୍ଦ୍ର ପରିଡା, ଜ୍ୟୋତିଷ କୁମାର କର, ଡ. ପ୍ରଭାସ ଚନ୍ଦ୍ର ଗିରି, ଯୋଗେଶ ଚନ୍ଦ୍ର ରାଉଳ, ଡ. ଅଜିତ୍ କୁମାର ମହାନ୍ତି ପ୍ରମୁଖ ଶିକ୍ଷା ହେଉଛି ପୂର୍ଣ୍ଣ ମଣିଷର ନିର୍ଭିକତା, ବଳିଷ୍ଠ ବିଶ୍ୱାସ ବୋଧ, ଶ୍ରଦ୍ଧା ଓ ସମର୍ପଣ ବୋଲି କହିଥିଲେ । ଏଥିରେ ଅଧ୍ୟାପକ ନିରଞ୍ଚନ ବେହେରାଙ୍କ ସଂଯୋଜନାରେ କବି ବସନ୍ତ ଦାସ, ଇନ୍ଦୁମତି ଗିରି, ମନୋରଂଜନ ଦାସ ମହାପାତ୍ର, ସୁଶିଲ କୁମାର ମାହାନ, ବିଦ୍ୟାପତି ଦେ, ଅନନ୍ତ କୁମାର ଦାସ, ହରେକୃଷ୍ଣ ଗିରି, ନିକୁଞ୍ଜ ଘୋଷ, ପରେଶ ପଣ୍ଡା, ପ୍ରଫୁଲ୍ଲ ଘୋଷ, ଅମରେନ୍ଦ୍ର ଦାସ ପ୍ରମୁଖ କବିତାପାଠ କରିଥିଲେ । ଗୁନାଧର ଭୂୟାଁଙ୍କ ରଚିତ ଜ୍ଞାନ ସଂଗ୍ରହ ମାଳା ଏହି ଉତ୍ସୋବରେ ଉନ୍ମୋଚିତ ହୋଇଥିଲେ । ଯୋଗେଶ ଚନ୍ଦ୍ର ରାଉଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ କବିଙ୍କ ପୁତ୍ର ବିନୟ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
