୩୫ଟି ଫସଲର ନୂଆ କିସମକୁ ଦେଶ ପାଇଁ ଉତ୍ସର୍ଗ, ଦେଶର ବିକାଶରେ ବିଜ୍ଞାନ ଏବଂ କୃଷି ମଧ୍ୟରେ ସମନ୍ୱୟ ଜରୁରୀ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶର ବିକାଶରେ ବିଜ୍ଞାନ ଏବଂ କୃଷି ମଧ୍ୟରେ ସମନ୍ୱୟ ଜରୁରୀ ଏହାଦ୍ୱାରା ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକଙ୍କ ଆର୍ଥିକ ଉନ୍ନତି ସମ୍ଭବ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂରେ ୩୫ଟି ଫସଲ କିସମର ଲୋକାର୍ପଣ କରି ଏଭଳି କହିଛନ୍ତି । ଏହାଦ୍ୱାରା ଏକବିଂଶ ଶତାବ୍ଦୀର ଧାର୍ଯ୍ୟ ଲକ୍ଷ୍ୟ ସହଜ ହୋଇ ପାରିବ । କୃଷି ଗବେଷଣା ପରିଷଦ ଏବଂ ଭାରତୀୟ କୃଷି ବିଜ୍ଞାନ କେନନ୍ଦ୍ରର ମିଳିତ ସହଯୋଗରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍ କ୍ୟାମ୍ପସ୍ ଆୱାର୍ଡ଼ ପ୍ରଦାନ କରିବା ସହିତ କୃଷକଙ୍କ ସହିତ ଆଲୋଚନା କରିଛନ୍ତି । ଦେଶରେ ଗତ ୬-୭ ବର୍ଷ ଧରି କୃଷି କ୍ଷେତ୍ରରେ ବିଜ୍ଞାନର ବହୁଳ ଉପଯୋଗ ଦ୍ୱାରା ବହୁ ସୁଫଳ ମିଳିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଥିବା ୩୫ ନୂଆ ଫସଲ କିସମ ମଧ୍ୟରୁ ଓଡ଼ିଶାରେ ୧୫ ରୁ ୨୦ ଫସଲ ଚାଷ କରାଯାଏ । ସେଗୁଡ଼ିକ ମଧ୍ୟରେ ଧାନ, ମାଣ୍ଡିଆ, ମକା, ବିନ୍, ସୋୟାବିନ୍ ପରି ଫସଲ ରହିଛି। ଓଡ଼ିଶା ଭଳି ରାଜ୍ୟରେ ପ୍ରତିବର୍ଷ ପୁଷ୍ଟିହୀନତା ଯୋଗୁଁ ହଜାର ହଜାର ଶିଶୁ ପ୍ରାଣ ହରାଉଛନ୍ତି ଓ ବିଭିନ୍ନ ରୋଗର ଶୀକାର ହୋଉଛନ୍ତି । ରାଜ୍ୟରେ ଅପପୁଷ୍ଟିରୁ ୩୪ ପ୍ରତିଶତ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥାର ବିକାଶ ହେଉନାହିଁ । ସୁଷମ ଖାଦ୍ୟ ଅଭାବରୁ ରାଜ୍ୟରେ ଉଚ୍ଚତା ଅନୁସାରେ ବହୁତ ପତଳା ହୋଇଯାଉଥିବା ଶିଶୁଙ୍କ ସଂଖ୍ୟା ୨୦ ପ୍ରତିଶତ । ରାଜ୍ୟରେ ୫ ବର୍ଷରୁ କମ୍ ବୟସର ୭ପିଲାଙ୍କ ମଧ୍ୟରୁ ଜଣଙ୍କର ଖାଦ୍ୟ ଅଭାବରୁ ଉପଯୁକ୍ତ ଶାରିରୀକ ବିକାଶ ହୋଇପାରି ନ ଥାଏ । ସେହିପରି ପୁଷ୍ଟିକର ଖାଦ୍ୟ ନ ମିଳିବାରୁ ୩ ଜଣ ଶିଶୁଙ୍କ ଭିତରୁ ଜଣେ ବୟସ ତୁଳନାରେ ବହୁତ ଗେଡା ହୋଇଥାନ୍ତି ଏବଂ ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣେ ଶିଶୁ ତାର ବୟସ ତୁଳନାରେ ବହୁତ କମ୍ ଓଜନର ହୋଇଥାଏ । ପୁଷ୍ଟିକର ଖାଦ୍ୟର ଅଭାବ ଯୋଗୁଁ ୧ ରୁ ୧୯ ବର୍ଷ ବୟସର ୫୦ ପ୍ରତିଶତ ରକ୍ତହୀନତାର ଶିକାର ହେଉଥିବା ବେଳେ ୯.୫ ପ୍ରତିଶତ ପିଲାଙ୍କ ନିକଟରେ ରୋଗ ପ୍ରତିରୋଧ ଶକ୍ତି କମିଥାଏ । ତେଣୁ ଓଡ଼ିଶା ଭଳି ରାଜ୍ୟର ଶିଶୁଙ୍କୁ ନିର୍ବଳୁଆ ଓ ନିର୍ବୁଦ୍ଧିଆ ହେବାରୁ ରୋକିବାରେ ଏହି ନୂଆ ଫସଲ କିସମ ଖୁବ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡର ରାୟପୁରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଟିକ୍ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟର ଉଦଘାଟନ କରିଛନ୍ତି । ପାଣିପାଗର ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ପରିସ୍ଥିତିରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡିକର ମୁକାବିଲା ପାଇଁ ଏହି ଅନୁଷ୍ଠାନର ବୈଜ୍ଞାନିକମାନେ ସମର୍ଥନ ଯୋଗାଇବେ । ସେମାନେ ଦେଶର କୃଷି ଏବଂ କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଲୁଣ ପାଣିରେ ମଧ୍ୟ କିପରି ଚାଷ କରାଯାଇ ପାରିବ ସେ ନେଇ ନୂଆ ଫସଲ କିସମ ବିକଶିତ କରାଯାଉଛି ଏବଂ ଖୁବଶୀଘ୍ର ଏହାକୁ ଉତ୍ସର୍ଗ କରାଯିବ ବୋଲି ଏହି ଅବସରରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।
