ବିବାହିତ ପ୍ରେମିକଙ୍କ ଘର ଆଗରେ ଯୁବତୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା
ଭଞ୍ଜନଗର : ଗଞ୍ଜାମ ଭଞ୍ଜନଗର ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଗାଁରେ ଅଘଟଣ । ବିବାହିତ ପ୍ରେମିକଙ୍କ ଘର ଆଗରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ତେବେ ଯୁବତୀଙ୍କୁ ବିଷ ଦେଇ ବିବାହିତ ପ୍ରେମିକ ହତ୍ୟା କରିଛି । ଏଭଳି ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ଯୁବତୀଙ୍କ ବାପା ।
ଯୁବତୀ ଜଣକ ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ଗ୍ରାମର । ବିବାହିତ ପ୍ରେମିକ ଜଣକ ହେଉଛନ୍ତି ଶ୍ୟାମଘନ ଗୌଡ । ସେ କ୍ଷତ୍ରିୟବରପୁରରେ ଶିକ୍ଷକତା କରୁଛନ୍ତି । ପ୍ରେମିକ ଜଣକ ପୂର୍ବରୁ ମୁଜାଗଡ଼ରେ ଶିକ୍ଷକତା କରୁଥିଲେ । ସେ ସମୟରୁ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା ବୋଲି ଯୁବତୀଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି ।
ସୂଚନା ଯେ, ଶନିବାର ଦିନ ଯୁବତୀ ଜଣକ ମୁଜାଗଡରୁ କ୍ଷତ୍ରିୟବରପୁରରେ ରହୁଥିବା ଶ୍ୟାମଘନଙ୍କ ଘରକୁ ଯାଇଥିଲେ । ପରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଶ୍ୟାମଘନ ଏବଂ ତାଙ୍କ ସ୍ତ୍ରୀ ନିକଟସ୍ଥ ଗୋବରା ମେଡିକାଲରେ ଭର୍ତି କରିଥିଲେ । ବିଷକ୍ରିୟାରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଖବର ପାଇ ଯୁବତୀଙ୍କ ବାପା ଓ କିଛି ସମ୍ପର୍କୀୟ ଗୋବରା ମେଡିକାଲରେ ପହଞ୍ଚି ଥିଲେ । ସଂପୃକ୍ତ ଶିକ୍ଷକ ଓ ତାଙ୍କ ସ୍ତ୍ରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
