ଆରପିଏଫ୍ ଅଫିସରଙ୍କ ଦେହାନ୍ତ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ୍ ବଣା ଗାଁର ଆରପିଏଫ୍ ଅଫିସର (ରେଳ ବିଭାଗର ଖଡ଼ଗପୁର ଡିଭିଜନରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟର) ମନ୍ଜୀତ୍ କୁମାର ମହାପାତ୍ର (୫୧)ଙ୍କ ବୁଧବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସେ ଗତ ବର୍ଷ ଠାରୁ ମୁଖ କର୍କଟ ରୋଗରେ ପିଡ଼ିତ ରହି ଚିକିତ୍ସିତ ହେଉଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବୁଧବାର ସନ୍ଧ୍ୟାରେ ତାଙ୍କ ଘରେ ବିଶିଷ୍ଟ ବ୍ୟକ୍ତି ତଥା ସ୍ଥାନୀୟ ବାସିନ୍ଦା ମନ୍ଜୀତ୍ଙ୍କର ଶେଷ ଦର୍ଶନକରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ସ୍ୱର୍ଗତ ମନ୍ଜୀତ୍ଙ୍କର ବାପା ପ୍ରଭାକର ମହାପାତ୍ର ମଧ୍ୟ ରେଳ ବିଭାଗର ଆରପିଏଫ୍ ଯବାନ ଭାବେ ଅବସର ନେଇଥିଲେ । ମନ୍ଜୀତ୍ ସ୍ଥାନୀୟ ଅଞ୍ଚଳରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ବୋଲି ଜଣାଶୁଣା ଥିଲେ । ଅନେକ ସମୟରେ ଅଜଣା ବ୍ୟକ୍ତିଙ୍କୁ ସେ ସାହାଯ୍ୟର ହାତ ବଢ଼ାଇଥାନ୍ତି । ବିଭିନ୍ନ ସାମାଜିକ ଅନୁଷ୍ଠାନରେ ମଧ୍ୟ ତାଙ୍କର ପ୍ରତ୍ୟକ୍ଷ ଭାବେ ଭାଗୀଦାରି ରହିଥିଲା । ସେ ମାର୍କୋଣା ରଘୁନାରାୟଣ ହାଇସ୍କୁଲରେ ଦଶମ ଶ୍ରେଣୀ ପାସ୍ କରି ସିମୁଳିଆ କଲେଜରେ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ । ପାଠ ପଢ଼ା ସମୟରେ ତାଙ୍କୁ ରେଳ ବିଭାଗରେ ଆର୍ପିଏଫ୍ କନଷ୍ଟେବଳ ଭାବେ ନିଯୁକ୍ତି ମିଳିଥିଲା । ପ୍ରଥମେ ସେ ରେଳ ବିଭାଗର ଟି-କମ୍ପାନୀରେ ବିଭିନ୍ନ ରାଜ୍ୟରେ ବିଭାଗୀୟ ଅଧିକାରୀଙ୍କ ଅଧୀନରେ କାମକରି ବେଶ୍ ପ୍ରସଂଶା ସାଉଁଟିଥିଲେ । ଟ୍ରେନିଂ ସହିତ ସଠିକ୍ ଭାବେ ଦାୟିତ୍ୱ ସମ୍ପାଦନ କରି ମନ୍ଜୀତ୍ ଏକାଧିକ ମେଡ଼ାଲ ହାତେଇଥିଲେ ।
