କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂକୁ ଡିସିଜିଆଇ ଅନୁମତି
ନୂଆଦିଲ୍ଲୀ : କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂରୁ କି ଫାଇଦା ମିଳୁଛି। ଫଳରେ ଏହା ଉପରେ ଗବେଷଣା କରିବାକୁ ଡିସିଜିଆଇ ଅନୁମତି ଦେଇଛି। ଏହାର ଗବେଷଣା ଓ ଟ୍ରାଏଲ ଭେଲ୍ଲୋରରେ ଥିବା ଖ୍ରୀଷ୍ଟିଆନ ମେଡିକାଲ କଲେଜରେ କରାଯିବ। ଏହାର ରିପୋର୍ଟ ମିଳିବା ପରେ ଦେଶରେ ମିକ୍ସିଂ ଡୋଜ୍ ବ୍ୟବହାର ହେବ କି ନାହିଁ, ତା’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଜୁଲାଇ ୨୯ରେ ସିଡିଏସ୍ସିଓର ଗୋଟିଏ ବିଶେଷଜ୍ଞ କମିଟି କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିକ୍ସିଂ ଉପରେ ଗବେଷଣା କରିବାକୁ ପ୍ରସ୍ତାବ ଦେଇଥିଲା। ଉକ୍ତ ବୈଠକରେ କମିଟି କହିଥିଲା ଯେ ଭେଲ୍ଲୋରରେ ଥିବା ସିଏମସିକୁ ମିକ୍ସିଂ ଡୋଜ୍ ଉପରେ ଗବେଷଣା କରିବାକୁ ଅନୁମତି ଦିଆଯାଉ। ସିଏମସି ଏହାର ୩୦୦ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀଙ୍କ ଉପରେ ମିକ୍ସିଂ ଡୋଜ୍ର ଫେଜ-୪ କ୍ଲିନିକାଲ ଟ୍ରାଏଲ କରିବ।
ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ସଂପୂର୍ଣ୍ଣ ଟିକାକରଣ ବେଳେ ତାଙ୍କୁ ଗୋଟିଏ ଡୋଜ୍ କୋଭିସିଲ୍ଡ ଓ ଆଉ ଗୋଟିଏ ଡୋଜ୍ କୋଭାକ୍ସିନ ଦିଆଯାଇ ପାରିବ କି ନାହିଁ, ସେକଥା ଜଣାପଡ଼ିବ। ଏପରି କି ମିକ୍ସିଂ ଡୋଜ୍ ନେଲେ ଲୋକଙ୍କ ଶରୀରରେ କ’ଣ ପ୍ରଭାବ ପଡ଼ୁଛି ଓ ଏହା କରୋନା ବିରୋଧରେ କେତେ ପ୍ରତିଶତ ଲଢ଼େଇ କରିବାକୁ ସକ୍ଷମ ହେଉଛି, ସେକଥା ମଧ୍ୟ କ୍ଲିନିକାଲ ଟ୍ରାଏଲ ପରେ ସ୍ପଷ୍ଟ ହେବ। ସିଏମସିର ଗବେଷଣା ନିକଟରେ ଆଇସିଏମଆର କରିଥିବା ମିକ୍ସିଂ ଡୋଜ୍ ଗବେଷଣା ଠାରୁ ଭିନ୍ନ। କାରଣ ଆଇସିଏମଆର କେବଳ ଭୁଲବଶତଃ ଉତ୍ତର ପ୍ରଦେଶରେ କୋଭିସିଲ୍ଡର ଗୋଟିଏ ଡୋଜ ଓ କୋଭାକ୍ସିନର ଗୋଟିଏ ଡୋଜ୍ ନେଇଥିବା ଲୋକଙ୍କ ଉପରେ ନଜର ରଖି ରିପୋର୍ଟ ପ୍ରକାଶ କରିଥିଲା। ଭୁଲରେ ଦୁଇଟି ଭିନ୍ନ ଟିକାର ଡୋଜ୍ ନେଇଥିବା ଲୋକଙ୍କ ଉପରେ ଏହାର କୁ ପ୍ରଭାବ ପଡ଼ୁଛି କି ନାହିଁ, ତା’ ଉପରେ କେବଳ ଆଇସିଏମଆର ଗବେଷଣା କରିଥିଲା। ଏହାପରେ ଆଇସିଏମଆର କହିଥିଲା ଯେ ମିକ୍ସିଂ ଡୋଜ୍ ନେଇଥିବା ଲୋକଙ୍କ ଶରୀରରେ ଗୋଟିଏ କମ୍ପାନୀର ଦୁଇଟି ଡୋଜ୍ ଟିକା ନେଇଥିବା ଲୋକଙ୍କ ତୁଳନାରେ ଅଧିକ ପରିମାଣର ଆଣ୍ଟିବଡି ସୃଷ୍ଟି ହେଉଛି।
