ଡିସିଜିଆଇର ଅନୁମୋଦନ : ଏଣିକି ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ମିଳିବ ଏହି ଟିକା
ହାଇଦ୍ରାବାଦ : ଶିଶୁଙ୍କୁ ପ୍ରଦାନ କରିବା ପାଇଁ କୋଭିଡ ଟିକାର ବ୍ୟବହାରିକ ଅନୁମତି ପାଇଲା ଭାରତୀୟ ଟିକା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ । ଏବେ ସଂସ୍ଥା ଦ୍ବାରା ପ୍ରସ୍ତୁତ ୧୨-୧୮ ବର୍ଷ ବୟସର ପିଲାମାନଙ୍କ ଉଦ୍ଦିଷ୍ଟ କୋଭିଡ ଟିକାକୁ ଏହି ବୟସର ପିଲାଙ୍କୁ ଦିଆଯାଇପାରିବ ।
ଗତ କିଛି ମାସର ଗବେଷଣା ଓ ବିଭିନ୍ନ ପର୍ଯ୍ୟାୟର ପରୀକ୍ଷଣ ସଫଳ ହେବା ପରେ ଭାରତ ବାୟୋଟେକ ପକ୍ଷରୁ ଏହାର ବ୍ୟବହାରିକ ଅନୁମତି ପାଇଁ ଡ୍ରଗ୍ସ ନିୟାମକ ସଂସ୍ଥା ଡିସିଜିଆଇର ଅନୁମୋଦନକୁ ଅପେକ୍ଷା କରାଯାଇଥିଲା । ତେବେ ଆଜି ଏହି ଅନୁମୋଦନ ପାଇବାରେ ସଫଳ ହୋଇଛି ସଂସ୍ଥା । ତେବେ ଦେଶରେ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଅଭିଯାନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଶିଶୁଙ୍କ ପାଇଁ ଟିକା ଆସିବାକୁ ଅପେକ୍ଷା କରାଯାଇଥିଲା । ତେବେ ଏହି ଅନୁମତି ସହ ଶିଶୁଙ୍କ ଟିକାକରଣ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବା ନେଇ ସମ୍ଭାବନା ମଧ୍ୟ ସ୍ପଷ୍ଟ ହୋଇଛି ।
ସଂସ୍ଥା ପକ୍ଷରୁ ଏଥିପାଇଁ ଡିସିଜିଆଇ ନିକଟରେ ଆବେଦନ କରାଯାଇଥିଲେ। ଏହାକୁ ବିଚାରକୁ ନେଇ ଆଜି ଡିସିଜିଆଇ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କୋଭାକ୍ସିନକୁ ଦ୍ୱିତୀୟ ଟିକା ଭାବେ ୧୮ ବର୍ଷରୁ କମ ବୟସ୍କଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ଭାରତ ସରକାର ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକାକୁ ଛୋଟ ପିଲାମାନଙ୍କ ଉପରେ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ୧୨ ଓ ତା’ ଠାରୁ ଅଧିକ ବୟସଙ୍କୁ ଜାୟଡସ କାଡିଲାର ଡିଏନଏ ଭିତ୍ତିକ ଟିକା ଦେବାକୁ ଗ୍ରୀନ ସିଗ୍ନାଲ ମିଳିଥିଲା। ଏବେ ଏଥିରେ ଭାରତ ବାୟୋଟେକ ଯୋଡ଼ି ହୋଇଯାଇଛି। ଅକ୍ଟୋବର ମାସରେ ୨ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କୁ କୋଭାକ୍ସିନ ଟିକାର ଡୋଜ୍ ଦେବାକୁ ସବଜେଟ ଏକ୍ସପର୍ଟ ପ୍ୟାନେଲ ପ୍ରସ୍ତାବ ଦେଇଥିଲା।
ସେପ୍ଟେମ୍ବର ମାସରେ ଭାରତ ବାୟୋଟେକ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରି ଅକ୍ଟୋବର ମାସରୁ ଏହାର ରିପୋର୍ଟ ଡିସିଜିଆକୁ ଦେବା ଆରମ୍ଭ କରିଥିଲା। ଟ୍ରାଏଲରୁ ଭଲ ଖବର ମିଳଥିବାରୁ ସବଜେକ୍ଟ ଏକ୍ସପର୍ଟ କମିଟି ଛୋଟ ପିଲାମାନଙ୍କୁ ଏହାର ଡୋଜ୍ ଦେବାକୁ ପ୍ରସ୍ତାବ ଦେଇଥିଲା। ହେଲେ ଡିସିଜିଆଇ କେବଳ ୧୨ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ଦେଇଛି। ବର୍ତ୍ତମାନ କୋଭାକ୍ସିନ ଟିକାକୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଛି। ୨୮ ଦିନ ବ୍ୟବଧାନରେ ଟିକାର ଦୁଇଟି ଡୋଜ୍ ଜଣେ ବ୍ୟକ୍ତିଙ୍କୁ ନେବାକୁ ପଡ଼ୁଛି। ଏହା କରୋନା ବିରୋଧରେ ବେଶ ଫଳପ୍ରଦ ବୋଲି ଟ୍ରାଏଲରୁ ଜଣାପଡ଼ିଛି। ୧୮ ବର୍ଷରୁ କମ ବୟସ୍କଙ୍କ ଉପରେ ମଧ୍ୟ କୋଭାକ୍ସିନ ଅନୁରୂପ ପ୍ରଭାବ ପକାଉଥିବା କମ୍ପାନୀ କରିଥିବା ଟ୍ରାଏଲରୁ ଜଣାପଡ଼ିଛି। ତେବେ ବର୍ତ୍ତମାନ ଓମିକ୍ରନ ଆତଙ୍କ ସୃଷ୍ଟି କରିଥିବା ବେଳେ କୋଭାକ୍ସିନ କ’ଣ ପ୍ରଭାବ ଦେଖାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
