ଆଇଟିଆର୍ ତଥ୍ୟ ଲିକ୍ ମାମଲା : ତଦନ୍ତରେ ସାମିଲ ହେଲେ ଆନ୍ଧ୍ର ଗୁଇନ୍ଦା ବିଭାଗ ଓ ବାୟୁସେନାର ଟିମ୍
ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍ଡିଓ)ର ସମନ୍ୱିତ ପରୀକ୍ଷଣ କେନ୍ଦଧ (ଆଇଟିଆର୍)ରୁ ପ୍ରତିରକ୍ଷା ତଥ୍ୟ ଲିକ୍ ଘଟଣାରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିବା ବେଳେ ଏଥିରେ ଏବେ ସାମିଲ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ଗୁଇନ୍ଦା ବିଭାଗ ଓ ଭାରତୀୟ ବାୟୁସେନାର ଟିମ୍ । ଗିରଫ ହୋଇଥିବା ଆଇଟିଆର୍ ଟେଲିମେଟ୍ରି ବିଭାଗର ଟେକ୍ନିକାଲ ଅଫିସର ବାବୁରାମ ଦେଙ୍କ ୪ଦିନିଆ ରିମାଣ୍ଡ ୨୮ ତାରିଖ ମଙ୍ଗଳବାର ଶେଷ ହେଉଥିବା ବେଳେ ତଦନ୍ତକାରୀ ଦଳମାନେ ଆବଶ୍ୟକ ଅନୁଯାୟୀ ଜେରା ମାଧ୍ୟମରେ ଅଭିଯୁକ୍ତ ନିକଟରୁ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଜାରି ରଖିଥିବା ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି ।
ବାବୁରାମର ରିମାଣ୍ଡ ମିଳିବା ପରେ ପୋଲିସ ପକ୍ଷରୁ ଚାଲିଥିବା ମାରାଥନ ଜେରାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଅଭିଯୁକ୍ତ ଠାରୁ ମିଳିଥିବା ତଥ୍ୟକୁ ପ୍ରମାଣିତ କରିବା ପାଇଁ ପୂର୍ବରୁ ଜବତ ହୋଇଥିବା ମୋବାଇଲର ଡାଟା ସହିତ ମେଳ କରାଯାଉଛି । ଏହାସହିତ ଅଭିଯୁକ୍ତ ନିକଟରୁ ଅନ୍ୟ ମୋବାଇଲ ଓ ଲାପଟପ୍ ଭଳି ୬ଟି ଇଲେକ୍ଟ୍ରୋନିକ୍ସ ଉପକରଣ ଜବତ କରାଯାଇଛି । ଏହି ସବୁ ଉପକରଣର ଡାଟା ଆନାଲିସିସ୍ ତଥା ଫରେନସିକ୍ ଯାଞ୍ଚ ପାଇଁ ନୂଆଦିଲ୍ଲୀ ଓ କୋଲକାତାର ଲ୍ୟାବ୍କୁ ପଠାଯାଇଥିବା ସେ ପ୍ରକାଶ କରିଛନ୍ତି । ଅଭିଯୁକ୍ତର ଆର୍ôଥକ କାରବାର ସମ୍ପର୍କରେ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଏ ନେଇ ବିଭିନ୍ନ ବ୍ୟାଙ୍କ ସହ ଯୋଗାଯୋଗ କରାଯାଇଛି । ଏହାବ୍ୟତୀତ ଅନ୍ୟ ବୈଷୟିକ ତଥ୍ୟ ବାବଦରେ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ଖୋଲତାଡ଼ କରାଯିବ । ଏହା ସତ୍ତ୍ୱେ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତର ରିମାଣ୍ଡ ବଢାଇବାକୁ ଅଦାଲତଙ୍କ ନିକଟରେ ଆବେଦନ କରାଯିବ । ହନିଟ୍ରାପ୍ ମାଧ୍ୟମରେ ପାକିସ୍ତାନୀ ଏଜେଣ୍ଟକୁ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଲିକ୍ ଘଟଣାରେ ଅଭିଯୁକ୍ତ ସହ ଅନ୍ୟ କେଉଁମାନେ ଯୋଗାଯୋଗରେ ଥିଲେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଆନ୍ଧ୍ରର ଗୁଇନ୍ଦା ଟିମ୍ ବାଲେଶ୍ୱରରେ ପହଞ୍ଚିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଘଟଣାର ଚେର କେତେ ଯାଏଁ ଲମ୍ବିଛି, କେଉଁ ଅଞ୍ଚଳରୁ ବ୍ୟକ୍ତିମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି, ଦେଶ ମଧ୍ୟରେ ଏହାର ଲିଙ୍କ କେଉଁଠି କେଉଁଠି ରହିଛି ଅଥବା ବିଦେଶୀ ଲିଙ୍କରେ କିଏ କିଏ ରହିଛନ୍ତି, ସମସ୍ତ ତଥ୍ୟକୁ ଆଧାରଭୁକ୍ତ କରିବା ପାଇଁ ସମସ୍ତ ତଦନ୍ତକାରୀ ଦଳ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଆବଶ୍ୟକ ଅନୁଯାୟୀ ରାଜ୍ୟ ପୋଲିସର କ୍ରାଇମବ୍ରାଞ୍ଚ ଅଥବା ଏନ୍ଆଇଏ ଭଳି କେନ୍ଦ୍ରୀୟ ଅନୁସନ୍ଧାନ ବିଭାଗକୁ ମଧ୍ୟ ଏଥିରେ ସାମିଲ ହେବା ପାଇଁ ଚିଠି ଲେଖାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।
ସୂଚନା ଯେ, ଚାନ୍ଦିପୁର ସ୍ଥିତ ଆଇଟିଆର୍ର ଇତିହାସରେ ପ୍ରଥମ ଥର ପାଇଁ ଜଣେ ବରିଷ୍ଠ ବୈଷୟିକ ଅଧିକାରୀ ଗୁପ୍ତ ତଥ୍ୟ ପ୍ରଦାନ ମାମଲାରେ ଗିରଫ ହୋଇଛନ୍ତି । ଘଟଣାର ଗୁରୁତ୍ୱ ଏତେ ବ୍ୟାପକ ଯେ ୨୮ ତାରିଖରେ ଶେଷ ହେବାକୁ ଥିବା ରିମାଣ୍ଡ ପରେ ପୋଲିସ ତାକୁ ଆଉ ଥିରେ ରିମାଣ୍ଡରେ ନେବା ଏକ ପ୍ରକାର ନିଶ୍ଚିତ । ବିଶେଷ କରି ଆର୍ôଥକ ଆଦାନ ପ୍ରଦାନ ସମ୍ବନ୍ଧରେ ଜାଣିବା ପାଇଁ ଅଧିକ ତଦନ୍ତ କରୁଛି ପୋଲିସ । ଏକ ସମ୍ବେଦନଶୀଳ ଘଟଣାରେ ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଇଥିବା ତଥ୍ୟ ସମ୍ପର୍କରେ ଖୋଳତାଡ଼ କରାଯାଉଛି । କେବଳ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ପାଇଁ ସେ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପାକିସ୍ତାନୀ ଯୁବତୀଙ୍କୁ ହସ୍ତାନ୍ତର କରିଛନ୍ତି ନା ଏ ବାବଦରେ ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା ସେନେଇ ପୋଲିସ ଓ ଅନ୍ୟାନ୍ୟ ଗୁଇନ୍ଦା ସଂସ୍ଥା ସମସ୍ତ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଅନୁରୂପ ଘଟଣାରେ ୨୦୧୫ ମସିହାରେ ଠିକା ଫଟୋଗ୍ରାଫର ଈଶ୍ୱର ବେହେରା, ୨୦୨୧ ମସିହାରେ ଆଇଟିଆର୍ ଡାଇରେକ୍ଟରଙ୍କ ଡ୍ରାଇଭରଙ୍କ ସମେତ ୪ଜଣ ଠିକା କର୍ମଚାରୀ ଏହି ଭଳି ଆଇଟିଆର୍ର ତଥ୍ୟ ଓ ଫଟୋ ଭିଡିଓ ବିଦେଶକୁ ହସ୍ତାନ୍ତର କରି ଗିରଫ ହୋଇଥିଲେ । ଚାନ୍ଦିପୁର ସ୍ଥିତ ଆଇଟିଆର୍ରୁ ଏଭଳି ବାରମ୍ବାର ତଥ୍ୟ ହସ୍ତାନ୍ତର କରାଯିବା ଦେଶ ପାଇଁ ଚିନ୍ତାର କାରଣ ହୋଇଛି ।
