ଆଜି ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁରରେ ନିୟମଗିରିର ଡଙ୍ଗରିଆ କନ୍ଧ
ଭୁବନେଶ୍ୱର : ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁରରେ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ ଖୋଲି ନିୟମଗିରିର ଡଙ୍ଗରିଆ କନ୍ଧଙ୍କ ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ଡଙ୍ଗରିଆ କନ୍ଧମାନେ ରାୟଗଡ଼ାର ପୂର୍ବଘାଟ ଅଂଚଳରେ ବସବାସ କରିଥାନ୍ତି । ସୂଚୀଶିଳ୍ପ, କାଠଖୋଦେଇ, ଚିତ୍ର ଅଙ୍କନ, ପାନିଆ ତିଆରି ହେଉଛି ସେମାନଙ୍କର ମୁଖ୍ୟ ପେଶା । ବୃହତ୍ କନ୍ଧ ଜନଜାତିଙ୍କର ଏକ ଅଂଶବିଶେଷ ହେଉଛନ୍ତି ନିୟମଗିରିର ଡଙ୍ଗରିଆ କନ୍ଧ । ସେମାନେ ପୋଡ଼ୁଚାଷ କରିଥାନ୍ତି ଓ ଉଦ୍ୟାନକୃଷିରେ ଦକ୍ଷ ଅଟନ୍ତି । ହଳଦୀ, ସପୁରୀ ଓ କଦଳୀ ଚାଷ ନିମନ୍ତେ ଡଙ୍ଗରିଆ କନ୍ଧ ଜନଜାତି ପ୍ରସିଦ୍ଧି ଲାଭ କରିଛନ୍ତି । ଝରଣାକୂଳରେ ରହୁଥିବାରୁ ସେମାନେ ନିଜକୁ ‘ଝରଣିଆ’ ବୋଲି କହିଥାନ୍ତି । ନିୟମଗିରି ପର୍ବତର କିମ୍ବଦନ୍ତୀ ନିୟମରାଜାଙ୍କ ବଂଶଧର ଭାବେ ଡଙ୍ଗରିଆ କନ୍ଧମାନେ ନିଜକୁ ଅଭିହିତ କରିଥାନ୍ତି । ଦ୍ରାବିଡ଼ ଭାଷା ‘କୁଭି’ ହେଉଛି ଡଙ୍ଗରିଆ କନ୍ଧମାନଙ୍କର କଥିତ ଭାଷା । ଧରିତ୍ରୀ ଦେବୀ (ଧରଣୀ ପେନୁ) ସେମାନଙ୍କର ମହାନ ଦେବୀ ଓ ସେ ଗାଁ ରାସ୍ତା ମଧ୍ୟ ଭାଗରେ ଅଧିଷ୍ଠିତା ହୋଇଥାନ୍ତି । ‘ଧରଣୀ ପେନୁ’ଙ୍କୁ ପ୍ରସନ୍ନ କରିବା ପାଇଁ ଡଙ୍ଗରିଆ କନ୍ଧମାନେ ମେରିଆ ବା କେଡ଼ୁ ଉତ୍ସବ ପାଳନ କରିଥାନ୍ତି । ଡଙ୍ଗରିଆ ଜନଜାତିର ଉଭୟ ପୁରୁଷ ଓ ମହିଳାମାନେ ଲମ୍ବା କେଶ ରଖିଥା’ନ୍ତି । ଆଉ ମଧ୍ୟ ଉଭୟ କାନ ଓ ନାକକୁ ଆଭୂଷଣରେ ସଜାଇଥାନ୍ତି । ସେମାନେ ସୂଚୀଶିଳ୍ପରେ ରଙ୍ଗୀନ ଶାଲ୍ ସିଲେଇ କରିଥାନ୍ତି । ତାହାକୁ ‘କପଡ଼ା ଗଣ୍ଡା’ କୁହାଯାଏ ।
