ଡଗରା ବେଳଭୂମୀରେ ବତୀ ଘର ସ୍ଥାନକୁ ବିରୋଧ, ଫେରିଲେ ଅଧିକାରୀ
ବାଲିଆପାଳ : ଡଗରା ବେଳଭୂମୀରେ ବତୀ ଘର ସ୍ଥାନକୁ ବିରୋଧ । ଶେଷରେ ମାଟି ପରୀକ୍ଷା କରିବାକୁ ଆସିଥିବା ଅଧିକାରୀ ଓ ଜାହାଜ ନିରୀକ୍ଷକ ଅଧିକାରୀ ନିରାଶ ହୋଇ ଫେରିଲେ । ବାଲିଆପାଳ ପୋଲିସଙ୍କ ସହିତ ବତୀ ଘର ସ୍ଥାନ ପାଇଁ ମାଟି ପରୀକ୍ଷା କରିବାକୁ ଆସିଥିବା ଅଧିକାରୀ ଓ ଜାହାଜ ନିରୀକ୍ଷକ ଅଧିକାରୀ ମାନେ ଭିଟାମାଟି ସୁରକ୍ଷା କମିଟି ଓ ଅଞ୍ଚଳବାସୀଙ୍କ ଦୃଢ଼ ବିରୋଧ ଫଳରେ ବେଳାଭୂମିକୁ ଯାଇ ନପାରି ଡଗରା ବଡ଼ ଗୁମୁଟି ଛକସ୍ଥ ଭିଟାମାଟି ସୁରକ୍ଷା ମୁଖ୍ୟ ଫାଟକ ପାଖରୁ ହଟହଟା ହୋଇ ଫେରିଛନ୍ତି ।
ବାଲିଆପାଳ ବ୍ଲକର ଡଗରା ବେଳାଭୂମିରୁ ପ୍ରତ୍ୟେକ ଦିନ ଶହ ଶହ ମତ୍ସ୍ୟଜୀବୀ ଡଙ୍ଗା ନେଇ ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି । ଅଗଭୀର ସମୁଦ୍ରରେ ଦିନକୁ ଦିନ ମାଛ କମିବାରେ ଲାଗିବାରୁ ମତ୍ସ୍ୟଜୀବୀ ମାନେ ଗଭୀର ସମୁଦ୍ରକୁ ଯାଇ ମାଛ ଧରୁଛନ୍ତି । ପ୍ରାକୃତିକ ଦୁର୍ବିପାକ ସମୟରେ ଅନେକ ମତ୍ସ୍ୟଜୀବୀ ଦିଗହରା ହୋଇ ବହୁ କଷ୍ଟରେ କୂଳକୁ ଫେରୁଥିବାର ଦେଖି ମତ୍ସ୍ୟଜୀବୀଙ୍କ ଜୀବନ ସୁରକ୍ଷା ନିମନ୍ତେ ସରକାର ବେଳାଭୂମିରେ ଏକ ବତୀ ଘର ନିର୍ମାଣ କରିବାର ସିଦ୍ଧାନ୍ତ ନେଇଥିଲେ । ବେଳା ଭୂମିରେ ପ୍ରସ୍ତାବିତ ବତୀଘର ସ୍ଥାନ ପାଇଁ ବୁଧବାର ମାଟି ପରୀକ୍ଷା କରିବାକୁ ଆସିଥିବା ଅଧିକାରୀମାନେ ଡଗରା ବଡ ଗୁମୁଟି ଛକରୁ ପଶି ପରି ନଥିଲେ । ଅଞ୍ଚଳ ବାସୀ ଓ ଭିଟାମାଟି ସୁରକ୍ଷା କମିଟିର ସଦସ୍ୟଙ୍କ ଜୋରଦାର୍ ବିରୋଧ ଫଳରେ ଅଧିକାରୀମାନଙ୍କୁ ବାଲିଆପାଳ ଫେରିବାକୁ ପଡ଼ିଥିଲା । ସୂଚନା ଯେ, ଦକ୍ଷିଣ ବାଲିଆପାଳର ବନ୍ଦର ଓ ପେଟ୍ରୋ କେମିକାଲ ପ୍ଲାଣ୍ଟ ନିର୍ମାଣ ଭୟରେ ଦକ୍ଷିଣ ବାଲିଆପାଳର ଛଅ ପଞ୍ଚାୟତ ବସି ବଡ଼ ଗୁମୁଟି ଛକରେ ନିର୍ମାଣ ହୋଇଥିବା ଫାଟକରେ ପାଳି କରି ପ୍ରହରା ଦେଉଛନ୍ତି । ଯାହା ଫଳରେ କୌଣସି ସରକାରୀ ପଦାଧିକାରୀ ମାନଙ୍କୁ ପ୍ରସ୍ତାବିତ ବତୀ ଘର କିମ୍ବା ବନ୍ଦର ଓ ପେଟ୍ରୋ କେମିକାଲ ଅଞ୍ଚଳକୁ ଯିବାକୁ ଦେଉନଥିବା କଥା ସେଠାକାର ଅଞ୍ଚଳବାସୀ କହନ୍ତି ।
