ବାଲେଶ୍ୱର : ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାଇକ୍ଲୋଥୋନ
ବାଲେଶ୍ୱର : ଆଜି ଜାତୀୟ କ୍ରୀଡ଼ା ଦିବସ । ଅଗଷ୍ଟ ୨୯ ତାରିଖ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ବାଲେଶ୍ୱର ସହରର ମିଶନ ପଡ଼ିଆରେ ସାଇକ୍ଲୋଥୋନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରି ଯୁବାବର୍ଗଙ୍କୁ ଦକ୍ଷତା ସମ୍ପନ୍ନ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିପାରିଥିବା ବେଳେ ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛି । ଆଗାମୀ ଦିନରେ ବାଲେଶ୍ୱରରେ କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ନୂତନ ଇନଡୋର ଷ୍ଟାଡିୟମ ନିର୍ମାଣ ସହ ବିଭିନ୍ନ ଖେଳ ପଡ଼ିଆର ଉନ୍ନତି କରାଯାଉଥିବା ସୂଚନା ଦେଇଥିଲେ । ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଇକେଲ ଆରୋହୀ ଓ ମାରୱାଡ଼ି ଯୁବାମୋର୍ଚ୍ଚାର କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରି ସୁସ୍ଥ ଓ ନିରୋଗ ରହିବା ପାଇଁ କ୍ରୀଡ଼ା ଅଭ୍ୟାସ ଏକାନ୍ତ ଆବଶ୍ୟକ ହୋଇଥିବା ବେଳେ କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଏଭଳି କାର୍ଯ୍ୟକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲ କହିଥିଲେ ।
ସୂଚନା ଯେ, ଏହି ସାଇକ୍ଲୋଥୋନ ମିଶନ ପଡ଼ିଆରୁ ବାହାରି ସହର ପରିକ୍ରମା ସହ କୁରୁଡ଼ା ସ୍ଥିତ ଜ୍ୟୋତି ହସପିଟାଲ ନିକଟରୁ ଫେରି ପୁଣି ମିଶନ ପଡ଼ିଆରେ ପହଞ୍ଚିଥିଲା । ପରେ ସାଇକ୍ଲୋଥୋନର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିବା ବେଳେ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଦିଆଯଇଥିଲା । ମାରୱାଡ଼ି ଯୁବା ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ରୋଟାରୀ କ୍ଲବର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


