ବାଂଲାଦେଶ ଓ ମିଆଁମାର ଆଡେ ମୁହାଁଇବ ବାତ୍ୟା; ଓଡ଼ିଶା ପ୍ରତି ସତର୍କ ସୂଚନା ନାହିଁ
ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ -ମିଆଁମାର ଆଡକୁ ମୁହାଁଇବା ସମ୍ଭାବନା ରହିଛି । ଓଡ଼ିଶା ସହ ଅନ୍ୟ ପୂର୍ବ ଉପକୂଳ ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ନେଇ ଭାରତୀୟ ପାଣିପାଗ ବିଭାଗ- ଆଇଏମଡି ପକ୍ଷରୁ କୌଣସି ସତର୍କତା ଜାରି କରାଯାଇନି । ବର୍ଷା, ପବନ ନେଇ ମଧ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ କିମ୍ବା ପଶ୍ଚିମବଙ୍ଗକୁ ଚେତାବନୀ ଦିଆଯାଇନି ।
ଏଣେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆଜି ସକାଳେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ୧୦ ତାରିଖରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ୧୨ତାରିଖ ସକାଳ ଯାଏଁ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୧୨ତାରିଖରେ ଏହା ଗତିପଥ ପରିବର୍ତ୍ତନ କରି ବାଂଲାଦେଶ -ମିଆଁମାର ଆଡକୁ ଯିବ ବୋଲି ପୂର୍ବାନୁମାନ କରାଯାଇଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ। ପ୍ରଭାବରେ ଆଜିଠୁ ଆଣ୍ଡାମାନ ନିକୋବରରେ ବର୍ଷା ଆରମ୍ଭ ହେବ। କାଲିଠୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।
