ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମାଣ୍ଡୋସ୍’, ରଚିଲା ତାଣ୍ଡବ
କେଉଁଠି ଗଛ ଉପୁଡ଼ି ପଡ଼ିଛି ତ, ଆଉ କେଉଁଠି ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି
ଚେନ୍ନାଇ : ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମାଣ୍ଡୋସ୍’। ମାମଲାପୁରମରେ ସ୍ଥଳଭାଗ ଛୁଇଁବା ନେଇ ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ। ବାତ୍ୟା ଲ୍ୟାଣ୍ଡଫଲ୍ ପରେ ଚେନ୍ନାଇ ସମେତ ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି। ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ସେହିପରି ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଧିରେ ଧରେ ବାତ୍ୟା ମାଣ୍ଡୋସ ଦୁର୍ବଳ ହେବାର ଲାଗିଛି ବୋଲି ଆକଳନ କରାଯଇଛି। ଅପରପକ୍ଷରେ ବାତ୍ୟା ମାଣ୍ଡୋସରର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳବର୍ତ୍ତି ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସାମାନ୍ୟରୁ ଅଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚେନ୍ନାଇର ମେରାଇନ୍ ଡ୍ରାଇଭ୍ ରୋଡ୍ରେ ଜୋରରେ ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ତାମିଲନାଡୁ ମାମଲ୍ଲାପୁରମ୍ ନିକଟରେ ବାତ୍ୟା ‘ମାଣ୍ଡୋସ୍’ ସ୍ଥଳଭାଗ ଛୁଇଁଥିଲା। ପ୍ରାୟ ୧ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିଲା। ଲ୍ୟାଣ୍ଡଫଲ୍ ପରେ ଏହା ଗଭୀର ଅବପାତରେ ପରିଣତ ହୋଇଛି। ଆଗକୁ ଏହା ଆହୁରି ଦୁର୍ବଳ ହେବ।
ଆଜି ମଧ୍ୟାହ୍ନ ସୁଦ୍ଧା ‘ମାଣ୍ଡୋସ୍’ ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ହିଁ ଚେନ୍ନାଇ, କେରଳ ସମେତ ବହୁ ସ୍ଥାନରେ ବର୍ଷା ପବନ ଆରମ୍ଭ ହୋଇଯାଇଥିଲା। ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଦିଆଯିବା ସହ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା।
