ଘୂର୍ଣ୍ଣିବଳୟ ସକ୍ରିୟ, ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା
ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଉଛି ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇପାରେ । ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ବାତ୍ୟାର ଗତିପଥ ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ନାହିଁ। ବୁଧବାର ସକାଳେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ପରବର୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିହେବନି । ଲଘୁଚାପ ହେବା ପରେ ଏହାର ଗତିପଥ, ତୀବ୍ରତା ନେଇ ଚିତ୍ର ମିଳିବ । ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ହୋଇଥାଏ । ମାତ୍ର ଏହା ଓଡ଼ିଶା ମୁହାଁ ହେବ କି ନାହିଁ, ଏବେ କହି ହେବନାହିଁ । ତେବେ ବାତ୍ୟା ନେଇ ଏବେ ସ୍ପଷ୍ଟ ଚିତ୍ର ମିଳିନଥିଲେ ମଧ୍ୟ ଓଡ଼ିଶା ସରକାର ପୂରା ପ୍ରସ୍ତୁତ ଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ସତର୍କ ରୁହନ୍ତୁ, ଆତଙ୍କିତ ହୁଅନ୍ତୁ ନାହିଁ । ସରକାର ସବୁବେଳେ ଆପଣଙ୍କ ସହିତ ଅଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଯଥା ଅତ୍ୟାବଶ୍ୟକ ସାମଗ୍ରୀ ବହୁ ମାତ୍ରାରେ ମହଜୁଦ ରଖନ୍ତୁ ନାହିଁ । ଏହାଦ୍ୱାରା ବଜାରରେ କୃତ୍ରିମ ଅଭାବ ଦେଖାଦେଇପାରେ । ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି। କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖାଯାଉଛି । ଆବଶ୍ୟକସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଲଘୁଚାପ ହେବା ପରେ ୮ ତାରିଖକୁ ଏହା ବାତ୍ୟା ରୂପ ନେବ । ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଆଡ଼କୁ ମୁହାଁଇବ । ହେଲେ ୧୦ ତାରିଖ ପରେ ଦିଗ ପରିବର୍ତ୍ତନ କରି ପଶ୍ଚିମବଙ୍ଗ ବା ସଂଲଗ୍ନ ବାଂଲାଦେଶ ଆଡ଼କୁ ଗତି କରିପାରେ । ସମ୍ଭବତଃ ୧୩ ତାରିଖରେ ପଶ୍ଚିମବଙ୍ଗ ବା ସଂଲଗ୍ନ ବାଂଲାଦେଶର ସାଗର ଦ୍ୱୀପ ଛୁଇଁପାରେ । ମାତ୍ର ସେତେବେଳକୁ ବାତ୍ୟା ଦୁର୍ବଳ ହୋଇଯିବା ସମ୍ଭାବନା ଅଛି । ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ । ବାଲେଶ୍ୱର ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଓ ପବନ ହୋଇପାରେ । ଲଘୁଚାପ ସୃଷ୍ଟି ହେବା ପରେ ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
