ମିଆଁମାର ଉପକୂଳରେ ଘୂର୍ଣ୍ଣିବଳୟ, ୨୫ରୁ ବଢ଼ିବ ବର୍ଷା
ଭୁୁବନେଶ୍ୱର : ମିଆଁମାର ଓ ନିକଟବର୍ତ୍ତୀ ମର୍ତାବାନ ଉପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ଓ ୨୪ ତାରିଖ ସଂଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ୨୫ରୁ ୨୭ତାରିଖ ମଧ୍ୟରେ ରାଜ୍ୟର ଉପକୂଳ ଜିଲାଗୁଡ଼ିକରେ ଲଘୁଚାପ ବର୍ଷା ହେବାର ସମ୍ଭାବନା ଥିବା ଦର୍ଶାଇ ସମସ୍ତ ଜିଲାପାଳଙ୍କୁ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ୨୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଆଦି ରହିଛି । ଉକ୍ତ ଜିଲାଗୁଡ଼ିକୁ ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ସେପ୍ଟେମ୍ବର ୨୨ରୁ ୨୩ ତାରିଖ ମଧ୍ୟରେ ଉତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ତେବେ ସେପ୍ଟେମ୍ବର୨୩ରୁ ୨୫ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାପରେ ସେପ୍ଟେମ୍ବର ୨୫ରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୨୭ ତାରିଖ ପର୍ଯ୍ୟନ୍ତ ଅନେକ ଜିଲାରେ ପ୍ରବଳ ବର୍ଷା ଓ କାଳବୈଶାଖୀ ସମ୍ଭାବନା ରହିଛି ।
