ପୁରୀଠୁ ୧୦୦କିମି ଦୂରରେ ଯିବ ବାତ୍ୟା ! ଘଂଟା ପିଛା ୫୦ କିମି ବେଗରେ ବୋହିବ ପବନ
ଭୁବନେଶ୍ୱର : ବାତ୍ୟା ‘ଅସାନୀ’କୁ ନେଇ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଗତ ୬ ଘଣ୍ଟା ଧରି ଏହା ୧୪ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବାତ୍ୟା ଅସାନୀ ଏବେ ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୯୨୦ କିମି ଦୂରରେ ରହିଛି। ୧୦ ତାରିଖ ସନ୍ଧ୍ୟା ସମୟରେ ବାତ୍ୟା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ। କିନ୍ତୁ ଏହା ସ୍ଥଳ ଭାଗ ଛୁଇଁବ ନାହିଁ। ସମୁଦ୍ର ମଧ୍ୟରେ ସମାନ୍ତରଳ ଭାବେ ଏହା ଉତ୍ତର ବଙ୍ଗୋପସାଗର ମୁହାଁ ହେବ। ପୁରୀ ଠାରୁ ଏହା ପ୍ରାୟ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ ବୋଲି ଶ୍ରୀ ଜେନା କହିଛନ୍ତି।
ବାତ୍ୟା ଅତିକ୍ରମ କରିବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୫୦ କିମି ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି । ୧୦ ତାରିଖରେ ବାତ୍ୟାର କେନ୍ଦ୍ରସ୍ଥଳ ଅର୍ଥାତ ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତିବେଗ ୯୫ରୁ ୧୦୫ ଏବଂ ବେଳେବେଳେ ୧୧୫ ଛୁଇଁବାର ଆଶଙ୍କା ରହିଛି। ୧୧ ତାରିଖରେ ଉତ୍ତରପଶ୍ଚିମ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତି ବେଗ ୮୦ରୁ ୯୦ ଓ ବେଳେବେଳେ ୧୦୦ କିମି ଛୁଇଁବ। ୧୨ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପସାଗରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୮୦ କିମି ରହିବ। ୧୧ ଓ ୧୨ ତାରିଖରେ ଓଡ଼ିଶା ଉପକୂଳରେ ଅର୍ଥାତ ସ୍ଥଳ ଭାଗରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ଓ ବେଳେବେଳେ ଏହା ୬୦ କିମି ମଧ୍ୟ ଛୁଇଁବାର ଆଶଙ୍କା ଥିବା ବିଭାଗ ପଡ଼ରୁ ଜାରି ବୁଲେଟିନରେ କୁହାଯାଇଛି। ବାତ୍ୟା ଅସାନି ଯୋଗୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ୧୨ ତାରିଖ ଯାଏ ଏହା ମଧ୍ୟକୁ ଯିବାକୁ ବିଭାଗ ବାରଣ କରିଛି। ବାତ୍ୟା ପାଇଁ ଓଡ଼ିଶାର ସମସ୍ତ ବନ୍ଦର ଗୁଡ଼ିକରେ ୨ ନଂ ବିପଦ ସଙ୍କେତ ଜାରି କରାଯାଇଛି।
ସମୁଦ୍ର ଭିତରକୁ ଯାଇଥିବା ଓଡ଼ିଶାର ସମସ୍ତ ମାଛଧରା ଡଙ୍ଗା ଆଜି ସୁଦ୍ଧା ଫେରିଆସିଥିବା ସେ କହିଛନ୍ତି । ପ୍ରାୟ ୫୬ଟି ବୋଟ ସମୁଦ୍ର ମଧ୍ୟରେ ରହିଥିଲା। ସେହିପରି ଚିଲିକାରେ ଚଳାଚଳ କରୁଥିବା ୧୦୦୦ ବୋଟ ମଧ୍ୟରୁ ଅନେକ ଆଜି ଫେରି ଆସିଛନ୍ତି। କାଲି ବିଭାଗ ଏହା ଉପରେ ଗୁରୁତ୍ୱ ଦେଇ ସବୁ ଡଙ୍ଗାକୁ ଫେରାଇ ଆଣିବ। ଗ୍ରୀଷ୍ମ କାଳରେ ବର୍ଷା ହେବ। ଏବେ ଖରା ଯୋଗୁ ନଦୀ ନାଳ ଓ ମାଟି ଶୁଖିଲା ରହିଛି। ତେଣୁ ବର୍ଷା ହେଲେ ମଧ୍ୟ ବନ୍ୟାର ଆଶଙ୍କା ନାହିଁ। ତଥାପି ଜିଲ୍ଲା ଓ ମନ୍ୟୁସିପାଲ ଅଧିକାରୀମାନଙ୍କୁ ପାଣି ଜମି ରହିବା ସମସ୍ୟା ଉପରେ ଦୃଷ୍ଟି ରଖିବାକୁ କହିଛୁ। ଦରକାର ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ସେ କହିଛନ୍ତି । ସତର୍କତା ସ୍ୱରୂପ ଗଞ୍ଜାମ ଜିଲ୍ଲାରେ ୨ଟି, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ସାତପଡ଼ା, ପୁରୀ, ଅସ୍ତରଙ୍ଗ-କୋଣାର୍କରେ ଗୋଟିଏ ଲେଖାଏ ଓଡ୍ରାଫ ଟିମ୍ ମୁତୟନ ହେବେ। ଏହାବାଦ ଜଗତସିଂହପୁରରେ ଗୋଟିଏ, କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ରାଜନଗରରେ ଗୋଟିଏ ଲେଖାଏ ଓଡ୍ରାଫ ଟିମ୍ ରହିବେ। ସେହିପରି ବାଲେଶ୍ୱରରେ ରହିଥିବା ଗୋଟିଏ ଏନଡିଆରଏଫ ୟୁନିଟ୍କୁ ମଧ୍ୟ ଆଲର୍ଟରେ ରଖାଯିବ ବୋଲି ଶ୍ରୀ ଜେନା କହିଛନ୍ତି।
