କାଗଜ ଡଙ୍ଗା ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କଲା କଟକ
କଟକ : ବାଲିଯାତ୍ରାକୁ ସ୍ମରଣୀୟ କରିବା ସହ ଓଡିଆ ସାଧବ ପୁଅଙ୍କ ପ୍ରାଚୀନ ନୈାବାଣିଜ୍ୟ ଗାଥାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିବା ସକାଶେ କଟକ ମହାନଗର ନିଗମ ଓ କଟକ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସ ସାକାର ହୋଇଛି । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ କଟକ ସହରର ମୋଟ୍ ୨୧୨୧ ପ୍ରତିଯୋଗୀ ଯେଉଁମାନେ କି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସିଭିଲ ସୋସାଇଟି ମେମ୍ବର ଓ ନିଗମର କର୍ମଚାରୀବୃନ୍ଦ ୨୨ ହଜାର ୪୭୩ କାଗଜ ଡଙ୍ଗା ୩୫ ମିନିଟରେ ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ଏହି ଐତିହାସିକ ସହରର ନାମକୁ ଯୋଡିବାରେ ସଫଳ ହୋଇଛନ୍ତି । ଏହି ପ୍ରାଥମିକ ସଫଳତା ସଂପର୍କରେ ଗିନିଜ୍ ୱାର୍ଲଡ ରେକର୍ଡ ପକ୍ଷରୁ ଅବଗତ କରାଯାଇ ମେୟର ସୁବାସ ସିଂଙ୍କୁ ବାରବାଟୀ ଷ୍ଟାଡିୟମର ପ୍ରତିଯୋଗିତା ସ୍ଥଳରେ ଏକ ପ୍ରୋଭିଜନାଲ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଶ୍ରୀ ସିଂ ଉପସ୍ଥିତ ଜୁରିମାନଙ୍କ ନିକଟରୁ ଏହି ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି । ଯାହା ଫଳରେ ବିଶ୍ୱ ଇତିହାସ ପୃଷ୍ଠାରେ କଟକ ସହରର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ।


ପ୍ରକାଶ ଥାଉକି, ସହରର ବିଭିନ୍ନ ବିଦ୍ୟାଳୟରେ ଦୀର୍ଘ ୫ ଦିନ ଧରି ନିର୍ଭୁଲ ଭାବରେ କାଗଜ ଡଙ୍ଗା ପ୍ରଶିକ୍ଷଣ ଦିଆଯାଇଥିଲା । ଆଜି ସକାଳେ ସେମାନେ ବାରବାଟୀ ଷ୍ଟାଡିୟମରେ ପହଂଚିବା ପରେ ପ୍ରତିଯୋଗୀମାନଙ୍କୁ ଏକାଧିକ ଗ୍ରୁପରେ ବିଭକ୍ତ କରାଯାଇ ଧାର୍ଯ୍ୟ ସମୟ ମଧ୍ୟରେ କାଗଜ ଡଙ୍ଗା ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରଙ୍ଗର କାଗଜ ଯୋଗାଇ ଦିଆଯାଇଥିଲା । ଏହାକୁ ଅନୁଧ୍ୟାନ କରିବାକୁ ପ୍ରତି ଗ୍ରୁପ୍ ପାଇଁ ଜଣେ ଷ୍ଟିୱାର୍ଡଙ୍କୁ ସଂସ୍ଥା ପକ୍ଷରୁ ଦାୟିତ୍ୱ ଦିଆଯାଇଥିଲା । ଧାର୍ଯ୍ୟ ସମୟରେ ଛାତ୍ରଛାତ୍ରୀମାନେ ଡଙ୍ଗା ତିଆରି ଆରମ୍ଭ କରିଥିଲେ ଏବଂ ଲଣ୍ଡନରେ ଥିବା ଅନୁଷ୍ଠାନର ଜୁରି କମିଟି ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମର ମୂଲ୍ୟାୟନ କରିଥିଲେ । ନିର୍ଦ୍ଧାରିତ ସମୟରେ ସଫଳତା ସଂପର୍କରେ ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇ ମେୟର ଶ୍ରୀ ସିଂଙ୍କୁ ସାର୍ଟିଫିକେଟ୍ ହସ୍ତାନ୍ତର କରାଯାଇଥିଲା । ଏହି ସାର୍ଟିଫିକେଟ୍ ଗ୍ରହଣ କାର୍ଯ୍ୟକ୍ରମରେ ଡେପୁଟି ମେୟର ଦମୟନ୍ତୀ ମାଝି, ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିଶନର ନିଖିଲ ପୱନ କଲ୍ୟାଣଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟ ସରକାର ବାଲିଯାତ୍ରାକୁ ମାନ୍ୟତା ପ୍ରଦାନ କରିଥିଲା ବେଳେ ଜାତୀୟ ଓ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତବର୍ଷ ବିଧିବଦ୍ଧ ପ୍ରୟାସ ଆରମ୍ଭ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗିନିଜ୍ ୱାର୍ଲଡ ରେକର୍ଡରେ ନାମ ହାସଲ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।
