ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ କଟକ ଦଶହରା
ଦୁର୍ଗା ପୂଜା ଓଡ଼ିଶାର ତଥା ହିନ୍ଦୁ ମାନଙ୍କର ଏକ ବିଶେଷ ପୂଜା ଅଟେ। ଏହି ପର୍ବର ଶେଷ ଦିନଟି ଦଶହରା ତଥା ବିଜୟା ଦଶମୀ ନାମରେ ପରିଚିତ। କଟକର ଏହା ଏକ ପ୍ରଧାନ ପର୍ବ । କଟକ ଦଶହରା ଚାନ୍ଦି ମେଢ଼ ଲାଗି ବିଶ୍ୱ ବିଖ୍ୟାତ, ପୂଜାସମୟରେ ମେଢ଼ ଗୁଡ଼ିକୁ ଓ ମା’ଙ୍କ ମୂର୍ତ୍ତିକୁ ରୂପାନିର୍ମିତ ଅଳଙ୍କାରଦ୍ୱାରା ସଜ୍ଜିତ କରାଯାଇଥଏ, ଆଉ କେତେକ ସ୍ଥାନରେ ଜରିରେ ନିର୍ମିତ ମେଢ଼ ମଧ୍ୟ କରାଯାଇଥାଏ । ଦଶ ଦିନ ଧରି ଏହି ପୂଜା ଚାଲି ଥାଏ ।
କଟକ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
କଟକ ସୁନା ଓ ରୂପାର ତାରକସି କଳା ପାଇଁ ଜଣାଶୁଣା । ଏଠାକାର ସ୍ଥାନୀୟ କାରିଗରମାନେ ସାଧବମାନଙ୍କ ଅମଳରୁ ପାଖାପାଖି ୫୦୦ ବର୍ଷ ଧରି ଏହି କଳାକୁ ଜୀବିତ ରଖିଛନ୍ତି । ଅତୀତରେ ଓଡ଼ିଶାର ନଦୀ ଓ ସମୁଦ୍ର ପଥରେ ଦକ୍ଷିଣ ଏସିଆର ଇଣ୍ଡୋନେସିଆ ଓ ଅନ୍ୟାନ୍ୟ ଦେଶସମୂହ ସହ ବେପାର ବଣିଜ କାରବାର ପାଇଁ ଓଡ଼ିଶାର ସାଧବମାନେ ଏହି ସୁନା ରୂପାର ଅଳଙ୍କାର ନେଇ କଳିଙ୍ଗରୁ ଯାଉଥିଲେ ।
ଓଡ଼ିଆ ସଂସ୍କୃତି ଅନୁଯାୟୀ କଟକରେ ମଧ୍ୟ ବାର ମାସରେ ତେର ପର୍ବ ପାଳିତ ହୁଏ । ତେବେ ଯେଉଁ ପର୍ବଗୁଡିକ ଲାଗି କଟକ ଦୂରଦୂରାନ୍ତରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ସେଗୁଡିକ ହେଲା ଦଶହରା ଓ ବାଲିଯାତ୍ରା । ଦଶହରାରେ ଶକ୍ତି ରୂପିଣୀ ଦେବୀ ଦୁର୍ଗାଙ୍କ ପୂଜା କରାଯାଏ । ଦେବୀଙ୍କ ମହିଷମର୍ଦ୍ଦିନୀ ରୂପର ମୃଣ୍ମୟ ପ୍ରତିମାକୁ ନେଇ ସହରସାରା ଅନେକ ମେଢ ତିଆରି ହୋଇଥାଏ । ଦଶହରାର ଆଡ଼ମ୍ବର ବ୍ୟତୀତ କଟକ ମଧ୍ୟ ଚାନ୍ଦି ମେଢ଼ ଲାଗି ପ୍ରସିଦ୍ଧ । ଏହି ଚାନ୍ଦି ମେଢ଼ରେ ବିପୁଳ ପରିମାଣର ସୁନା ଓ ରୂପା ବ୍ୟବହୃତ ହୋଇଥାଏ । ଏହି ମେଢ଼ଗୁଡିକ ତାରକସି କାମର ଅନନ୍ୟ ନମୁନା ।
ପୂର୍ବ କାଳରେ ଜାଭା, ବାଳି, ସୁମାତ୍ରା ଆଦି ସ୍ଥାନମାନଙ୍କୁ ବୋଇତ ନେଇ ବେପାର କରିବାକୁ ଯାଉଥିବା ସାଧବପୁଅମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ବାଲିଯାତ୍ରାର ଆୟୋଜନ କରାଯାଏ । ନଭେମ୍ବର ମାସରେ ଆୟୋଜିତ ହେଉଥିବା ବାଲିଯାତ୍ରା ଦେଖିବା ଲାଗି ଏବଂ ବେପାର କରିବା ଲାଗି ଏହି ସମୟରେ କଟକରେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଆସି ଲୋକେ ଭିଡ ଜମାନ୍ତି । ସେହିପରି ଜାନୁଆରୀରେ ପାଳିତ ହେଉଥିବା ମକର ସଂକ୍ରାନ୍ତିରେ ରଙ୍ଗବେରଙ୍ଗର ଗୁଡିରେ ଭରିଯାଇଥିବା ଆକାଶ ଅତ୍ୟନ୍ତ ସୁନ୍ଦର ଦିଶେ । ଏହାଛଡା ଅନ୍ୟାନ୍ୟ ହିନ୍ଦୁ ପର୍ବପର୍ବାଣି ମଧ୍ୟ କଟକରେ ବେଶ୍ ଆଡ଼ମ୍ବର ସହ ପାଳିତ ହୁଏ ।
ହିନ୍ଦୁଙ୍କ ବ୍ୟତୀତ କଟକରେ ବସବାସ କରୁଥିବା ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଓ ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ନିଜ ନିଜ ଧାର୍ମିକ ପର୍ବ ପାଳନ କରନ୍ତି, ଏଗୁଡିକ ମଧ୍ୟରୁ ଇଦୁଲ ଫିତର, ଇଦୁଲ ଜୁହା, ବଡ଼଼ଦିନ ଆଦି ପ୍ରଧାନ । ଧାର୍ମିକ ପର୍ବ ବ୍ୟତୀତ ସମସ୍ତ ଜାତୀୟ ପର୍ବ ଯଥା ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦିକୁ ମଧ୍ୟ କଟକବାସୀ ବେଶ୍ ନିଷ୍ଠା ସହକାରେ ପାଳନ କରନ୍ତି ।
ମୂର୍ତ୍ତିଗଢ଼ା :
ମା’ଙ୍କ ମୂର୍ତ୍ତି ଗଢ଼ା ପାଇଁ ଲବ୍ଧ ପ୍ରତିଷ୍ଠ କାରିଗରମାନେ ନିୟୋଜିତ ହେଇଥାନ୍ତି । କାଠଗଡା ସାହି, ବିଡାନାସିର କୁମ୍ଭାରମାନେ ପୁରୁଷାନୁକ୍ରମେ ମୂର୍ତ୍ତି ଗଢ଼ି ଆସୁଛନ୍ତି । ମୂର୍ତ୍ତି ଗଢ଼ିବା ପାଇଁ ସେମାନଙ୍କୁ ୮ରୁ ୧୦ଦିନ ସମୟ ଲାଗେ । ବିଭିନ୍ନ ପୂଜା କମିଟି କାରିଗରମାନଙ୍କୁ ଭିନ୍ନ ଭିନ୍ନ ପାରିଶ୍ରମିକ ଦେଇଥାନ୍ତି ।
ଶକ୍ତିପୀଠରେ ପୂଜାର୍ଚ୍ଚନା :
ଚଣ୍ଡୀ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର , ଚାଉଳିଆଗଞ୍ଜ, ଝାଞ୍ଜିରିମଙ୍ଗଳା, ମଙ୍ଗଳାବାଗ, ପିଠାପୁର, ଦୋଳମୁଣ୍ଡାଇ, ତେଲେଙ୍ଗାବଜାର , ହରିପୁର ପ୍ରଭୃତି ସ୍ଥାନରେ ମା’ଙ୍କ ପୂର୍ବସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ ।
ସାଜସଜ୍ଜା :
ପୂଜାମଣ୍ଡପ ଓ ଶକ୍ତିପୀଠମାନଙ୍କରେ ସାଜସଜ୍ଜାରେ ଅଧିକ ଗୁରୁତ୍ୱ ଦିଆଯାଏ । ଚାନ୍ଦିନୀଚୌକ ଦୁର୍ଗାପୂଜା କମିଟି ୨୦୧୧ ମସିହାରେ ନେପାଳରେ ଥିବା ଏକ ପାହାଡ ଉପରେ ମନ୍ଦିର ଆକୃତିର ତୋରଣ ନିର୍ମାଣ କରିଥିଲେ । ମାଲଗୋଦାମ ପୂଜାକମିଟି ଗେଟ୍ୱ୍ଏ ଅଫ୍ ଇଣ୍ଡିଆ ଏବଂ ଚନ୍ଦ୍ରଶେଖରପୁର ପୂଜା କମିଟି ଷ୍ଟାଚ୍ୟୁଅଫ୍ ଲିବର୍ଟିର ଆଲୋକ ତୋରଣ ତିଆରି କରିଥିଲେ । ୧୯୫୬ ମସିହାରେ ଚୌଧୁରୀ ବଜାର ପୂଜା ମଣ୍ଡପରେ ପ୍ରଥମେ ଚାନ୍ଦିମେଢ଼ ବ୍ୟବହାର କରାଯାଇଥିଲା । ୨୦୧୩ ମସିହା ବେଳକୁ ୧୭ଟି ପୂଜା ମଣ୍ଡପରେ ଚାନ୍ଦିମେଢ଼ ବ୍ୟବହାର କରାଯାଉଛି ।
