କଟକ ହାଡିଆ ହତ୍ୟା ମାମଲା ଅଭିଯୁକ୍ତ ଦୀପକ ହିନ୍ଦୋଳରୁ ଗିରଫ
କଟକ : କଟକର ବହୁ ଚର୍ଚ୍ଚିତ ହାଡିଆ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ବିଡାନାସୀ ଥାନା ଶିବାଜୀନଗରର ବାସିନ୍ଦା ଦୀପକ ମଲ୍ଲିକ(୪୦) କୁ କଟକ କମିଶନରେଟ ପୋଲିସ ପ୍ରାୟ ୨ ବର୍ଷରୁ ଅଧିକ ସମୟ ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଂଚଳରୁ ଗତକାଲି ୮ ତାରିଖରେ ଗିରଫ କରି ଆଜି ୯ ତାରିଖରେ କୋର୍ଟଚାଲାଣ କରିଛି । ଗତ ୨୦୨୦ ମସିହା ସେପ୍ଟେମ୍ବର ୩ ତାରିଖ ଅପରାହ୍ନରେ ଲାଲବାଗ ଥାନା ଅଲିଶାବଜାର ଭୂତିଆସାହିର ପୁଷ୍ପଲତା ବେହେରା(୪୮) ଦେଇଥିବା ଏତଲା ଆଧାରରେ ବିଡାନାସୀ ଥାନାରେ ଆଇପିସିର ୩୦୨/୩୪ ଦଫାରେ ରୁଜୁ ହୋଇଥିବା ୧୮୯/୨୦୨୦ ନମ୍ବର ମାମଲାର ବିବରଣୀ ଅନୁସାରେ ସେହି ମାସ ୨ ତାରିଖ ରାତିରେ ତାଙ୍କର ଜଣେ କର୍ମଚାରୀ ମୁକେଶ ତାଙ୍କ ଘରେ କ୍ଷତାକ୍ତ ଅବସ୍ଥାରେ ପହଂଚି ତାଙ୍କୁ କହିଲେ ଯେ ସେହି ସାହିର ଦୀପକ ଓ ଶାନ୍ତନୁ ଅନ୍ୟ ପ୍ରାୟ ୧୦ ଜଣ ସହଯୋଗୀଙ୍କ ସହ ମିଶି ପୁଷ୍ପଲତାଙ୍କ ସ୍ୱାମୀଙ୍କୁ ଗୋଡେଇ ଗୋଡେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ ଉଦ୍ୟମ କରୁଥିଲେ । ସେ ନିଜେ ସେମାନଙ୍କୁ ବାଧା ଦେବାରୁ ସେମାନେ ତାକୁ ମଧ୍ୟ ଆକ୍ରମଣ କରିଥିଲେ । ଏହି ଖବର ପାଇବାମାତ୍ରେ ପୁଷ୍ପଲତା ତାଙ୍କ ସମ୍ପର୍କୀୟମାନଙ୍କ ସହ ମିଶି ନିଜ ସ୍ୱାମୀଙ୍କୁ ଖୋଜିବାକୁ ବାହାରି ପଡିଲେ । କିଛି ସମୟ ପରେ ସେ ତାଙ୍କ ସ୍ୱାମୀଙ୍କୁ ଇପସାର କଲେଜ ଗଡା ନିକଟରେ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖି ଉଦ୍ଧାର କରି ପ୍ରଥମେ ତାଙ୍କୁ ବ୍ଲୁ ଲାଇନ ହାସପାତାଲକୁ ଓ ପରେ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ପୁଷ୍ପଲତାଙ୍କ ସ୍ୱାମୀ ପ୍ରକାଶ ବେହେରାଙ୍କୁ ମୃତ ଘୋଷଣା କରାଯାଇଥିଲା ।ପୁଷ୍ପଲତାଙ୍କ ଏତଲା ଆଧାରରେ ବିଡାନାସୀ ଥାନା ପୋଲିସ ଉପରୋକ୍ତ ମାମଲା ରୁଜୁପୂର୍ବକ ତଦନ୍ତ ଆରମ୍ଭ କରିଥିଲା । ସମସ୍ତ ସାକ୍ଷ୍ୟପ୍ରମାଣ ଆଧାରରେ ପୋଲିସ ଗତ ତା ୨୪.୦୨.୨୦୨୧ ରିଖ ରେ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଦୀପକ ମଲ୍ଲିକ ଫେରାର ହୋଇଯାଇଥିଲା । ତା ୨୨.୬.୨୦୨୧ ରିଖରେ ପୋଲିସ ଆଇପିସିର ୩୦୨/୨୦୧/୩୦୭/୩୪ ଦଫା ଓ ୨୭ ଆର୍ମସ ଆକ୍ଟରେ ଉକ୍ତ ମାମଲାର ୧୩୧ ନମ୍ବର ଚାର୍ଜସିଟ କୋର୍ଟରେ ଦାଖଲ କରିବା ସହ ଅଭିଯୁକ୍ତ ଦୀପକକୁ ଗିରଫ କରିବାକୁ ସମସ୍ତ ପ୍ରକାର କଳକୌଶଳ ଜାରି ରଖିଥିଲେ । ତେବେ ଦୀପକ ଅତି ଚତୁରତାର ସହ ସାଧୁ ବେଶରେ ହିନ୍ଦୋଳ ଥାନା ଅଂଚଳରେ ଆତ୍ମଗୋପନ କରିଥିବାର ନିର୍ଭରଯୋଗ୍ୟ ଖବର ପାଇବାପରେ ଏହି ମାମଲାର ଏବେକାର ତଦନ୍ତକାରୀ ଅଫିସର ବିଡାନସୀ ଥାନା ଆଇଆଇସି ପ୍ରଦୀପ୍ତ କିଶୋର ନାଏକ ସଦଳବଳେ ଉକ୍ତ ଅଂଚଳରେ ଚଢଉ କରି ଗତକାଲି ୮ ତାରିଖରେ ସାଧୁ ବେଶରେ ଥିବା ଫେରାର ଅଭିଯୁକ୍ତ ଦୀପକ ମଲ୍ଲିକ(୪୦)କୁ ଗିରଫ କରି ଆଜି ୯ ତାରିଖରେ କୋର୍ଟଚାଲାଣ କରିଛନ୍ତି ବୋଲି କଟକ ଡିସିପି ପିନାକ ମିଶ୍ର ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦୀପକ ଏହି ମାମଲା ବ୍ୟତୀତ ବିଡାନାସୀ ଥାନାର ୧୧/୨୦୧୫ ଓ ୧୪୨/୨୦୧୮ ଏବଂ ମର୍କତନଗର ଥାନାର ୫୨/୨୦୧୫ ଓ ୫୯/୨୦୧୫ ନମ୍ବର ମାମଲାରେ ସମ୍ପୃକ୍ତ ଥିବାର ପୋଲିସ ସୂତ୍ରରୁ ପ୍ରକାଶ ।
