ଜିଲ୍ଲା କଳାକାର ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ
କେନ୍ଦୁଝର : ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ପରିପ୍ରେକ୍ଷୀରେ ରାଜ୍ୟରେ ଉତ୍ସବର ବାତାବରଣ ସୃଷ୍ଟି ଲକ୍ଷ୍ୟରେ କେନ୍ଦୁଝର କାଲି ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ପଲ୍ଲୀଶ୍ରୀ ମେଳାର ରଙ୍ଗମଂଚରେ କେନ୍ଦୁଝର ଜିଲ୍ଲା କଳାକାର ମଂଚ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦୁଝର ସଂସ୍କୃତି ସଂପର୍କରେ ଆଲୋକପାତ କରିଥିଲେ । ଏଥି ସହ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଜୀତେନ୍ଦ୍ର ମହାକୁଡ ଓ ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର ମିଳିତ ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ବହୁ ଦର୍ଶକ ଉପଭୋଗ କରିଥିଲେ । ସଂଘର ନୃତ୍ୟ ନିର୍ଦ୍ଦେଶକ ଗୁରୁ ଦାସ ଓ ନୃତ୍ୟ ଶିକ୍ଷୟତ୍ରୀ ସ୍ମୃତି ରେଖା ନାୟକ ଙ୍କ ନିର୍ଦ୍ଦେଶନାରେ କୋଡ଼ିଏ ଜଣ କଳାକାର ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ବେଶ ମନ ମୁଗ୍ଧ କରିଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ କେନ୍ଦୁଝର ଜିଲ୍ଲା କଳାକାର ସଂଘ ର ଯୁଗ୍ମ ସମ୍ପାଦିକା ମାନସୀ ମହାନ୍ତି ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ ମଂଚପରିଚାଳନା କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶ୍ୱେତା ଦଶ, ଟିକି ସେଠୀ, ଗୌତମ ସାହୁ, ତରଣି ସେନ ମହନ୍ତ ସମେତ ବହୁ କଳାକାର ଅଂଶଗ୍ରହଣ କରିଥିଲେ ।
