ରାଜାଧାନୀରେ ବଢୁଛି ଅପରାଧ : ପୋଖରୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ରାଜାଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧ । ମନୀଷ ଅନୁରାଗଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗିଦେବା ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଏକ ମୃତ ଦେହ ରାଜଧାନୀର ଏକ ପୋଖରୀରେ ଭାସୁଥିବା ଜଣାପଡ଼ିଛି । ଲକ୍ଷ୍ମୀସାଗର ସ୍ଥିତ ଏକ ପୋଖରୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଏନେଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।
ଗତ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳର ମାଳିହାଟର ଏକ ପୋଖରୀରୁ ବେକରେ ଗଭୀର ଚିହ୍ନ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯୁବକ ଜଣଙ୍କର ବୟସ ପ୍ରାୟ ୩୦ ରୁ ୩୫ ବର୍ଷ ବୟସ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ତେବେ ଯୁବକଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ଥିର ହୋଇପାରି ନ ଥିବାବେଳେ କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ ମୃତ ବ୍ୟକ୍ତି ବିହାରର ବାସିନ୍ଦା। ସ୍ଥାନୀୟ ଲୋକମାନେ ମାଳିହାଟ ପୋଖରୀରେ ଭାସୁଥିବା ଦେଖି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ପୋଖରୀରୁ ମୃତଦେହ ବାହାର କରିଥିବା ଅଗ୍ନିଶମ ବିଭାଗକୁ ଡାକିଥିଲେ। ଭୁବନେଶ୍ୱର ଅଗ୍ନିଶମ କର୍ମଚାରୀ ତୁରନ୍ତ ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଯାଇଛି। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇନଥିବା ସୂଚନା ମିଳିଛି । ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି। ଯଦିଓ ଯୁବକଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଅଧିକ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।
