ରାଜଧାନୀରେ ବଢୁଛି ଅପରାଧ! କ୍ରାଇମ କ୍ୟାପିଟାଲ ପାଲଟିଲାଣି ଭୁବନେଶ୍ୱର
ଭୁବନେଶ୍ୱର : ରାଜଧାନୀରେ ବଢୁଛି ଅପରାଧ । କ୍ରାଇମ କ୍ୟାପିଟାଲ ପାଲଟିଲାଣି ଭୁବନେଶ୍ୱର । ଦିନକରେ କମିଶନରେଟ ପୋଲିସର ଗୋଟିଏ ଜୋନରେ ବୋମାମାଡ, ସ୍ତ୍ରୀ କୁ ଛୁରା ମାଡ, ମହିଳାଙ୍କୁ ଜାଳି ହତ୍ୟା ଉଦ୍ୟମ ଭଳି ମାମଲା ରାଜଧାନୀରେ ଆତଙ୍କ ସୃଷ୍ଟି କରୁଛି । ଭୁବନେଶ୍ବର ପ୍ରେସ ଛକ ଛୁରା ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡିନଥିବା ବେଳେ ରାଜଧାନୀରେ ଘଟୁଥିବା ଅପରାଧ ରୋକିବାକୁ ନେଇ ବଢିଲା ଚିନ୍ତା ।
ରାଜଧାନୀ ଭୁବନେଶ୍ୱରରେ କେତେ ବେଳେ ରାସ୍ତା କଡରେ ଛୁରା ମାଡ ତ ଆଉ କେତେ ବେଳେ ଉପକଣ୍ଠରେ ଫୁଟୁଛି ବୋମା । କେତେ ବେଳେ ପ୍ରେମରେ ବିଫଳ ପ୍ରେମିକା ଆତ୍ମହତ୍ୟା କରୁଛି ତ ଆଉ କେତେ ବେଳେ ଚରିତ୍ର ଉପରେ ସନ୍ଦେହ କରି ପତ୍ନୀକୁ ଛୁରା ମାଡ କରୁଛି ସ୍ବାମୀ । ସେଇଟା ପୁଣି ପୋଲିସ ଉପସ୍ଥିତିରେ । ୨୦୨୨ ନୂଆ ବର୍ଷ ଆରମ୍ଭ ହେବା ପରଠାରୁ ଏଭଳି କିଛି ଘଟଣା ଘଟିଚାଲିଛି ରାଜଧାନୀରେ । ଗତ ଦୁଇମାସରେ ୨ଟି ହତ୍ୟା, ଏକାଧିକ ଆତ୍ମହତ୍ୟା ପରେ ଏବେ ଜମିବାଡି ଗଣ୍ଡଗୋଳକୁ ନେଇ ବାଲିଅନ୍ତା ସରକଣା ଗାଁରେ ନିର୍ମାଣାଧିନ ଘର ଉପରକୁ ବୋମା ମାଡ ।
ଏହାପରେ ବାଲିପାଟଣା ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରୁଥିବା ଖବର ଏବଂ ଲକ୍ଷ୍ମୀସାଗର ଅଞ୍ଚଳରେ ସ୍ବାମୀ ସ୍ତ୍ରୀ ଗଣ୍ଡଗୋଳରେ ସ୍ବାମୀଙ୍କୁ ଥାନାକୁ ନେଇ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ସ୍ତ୍ରୀକୁ ଛୁରାମାଡ ହୋଇଛି । ଏଭଳି ସମସ୍ତ ଘଟଣା ଏବେ ଠାରୁ ସ୍ପଷ୍ଟ କହିସାରିଲାଣି କି ରାଜଧାନୀ କେତେ ସୁରକ୍ଷିତ । ଏହା ସତ୍ବେ ବି ପୋଲିସ ସମସ୍ତ ଘଟଣାର ତଦନ୍ତ ଜୋରଦାର ଚଳାଇଛି । ପ୍ରତ୍ୟେକ ଘଟଣାରେ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ଭୁବନେଶ୍ବର ଡିସିପି କହିଛନ୍ତି । କିଛି ଦିନର ବ୍ୟବଧାନ ପରେ ଏଭଳି କିଛି ଘଟଣା ଭୁବନେଶ୍ବରକୁ କ୍ରାଇମ କ୍ୟାପିଟାଲ ବୋଲି ଆଖ୍ୟା ଦେଇଥାଏ । ହେଲେ ବାରମ୍ବାର ଏଭଳି ଆଖ୍ୟା ପୋଲିସ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇବାରେ ଯଥେଷ୍ଟ ।
