ସୌମ୍ୟଙ୍କ ସରକାରୀ ବାସଭବନରେ କ୍ରାଇମବ୍ରାଂଚ ଟିମର ତଦନ୍ତ
- ଏତଲାରେ ନାମ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଜେରା କରାଯିବ : ଡିଏସପି
- ସୌମ୍ୟଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ସମ୍ପୂର୍ଣ୍ଣ ଦାୟୀ : ମୃତ ସୌମ୍ୟଙ୍କ ବଡ଼ ଭାଇ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା କ୍ରାଇମବ୍ରାଂଚକୁ ହସ୍ତାନ୍ତର ପରେ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଏହି କ୍ରମରେ ଆଜି କ୍ରାଇମବ୍ରାଂଚର ଏକ ଟିମ୍ ସାଇଂଟିଫିକ୍ ଟିମ୍ ସହିତ ସୌମ୍ୟଙ୍କ ସରକାରୀ ବାସଭବନରେ ପହଂଚି ପ୍ରାୟ ୨ ଘଂଟା ଧରି ତଦନ୍ତ କରିଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କ୍ରାଇମବ୍ରାଂଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି ଯେ, ଏତଲାରେ ନାମ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଜେରା କରାଯିବ । ପୁଣି ଥରେ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମଧ୍ୟ ଜେରା କରାଯିବ । ସାଇଂଟିଫିକ୍ ଟିମ୍ ସାମ୍ପଲ ସଂଗ୍ରହ କରିଛି । କ୍ରାଇମବ୍ରାଂଚ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା କ୍ରାଇମବ୍ରାଂଚକୁ ହସ୍ତାନ୍ତର ପରେ ମୃତ ସୌମ୍ୟଙ୍କ ବଡ଼ ଭାଇ ଏନେଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସୌମ୍ୟଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ସମ୍ପୂର୍ଣ୍ଣ ଦାୟୀ । ସେମାନଙ୍କୁ ନିଜ ହେପାଜତକୁ ନେଇ କ୍ରାଇମବାଂଚ ପଚରା ଉଚରା କରୁ । ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ଗୁରୁଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ନିଲମ୍ବନ କରାନଯିବା ପର୍ଯ୍ୟନ୍ତ କିଛି ତଥ୍ୟ ମିଳିବନି । ଘଟଣା ଦିନ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଘରେ ଥିଲେ । ଏତେ ବଡ଼ ଅଘଟଣ ଘଟିଗଲା, ସ୍ତ୍ରୀ ବିଦ୍ୟାଭାରତୀ ଜାଣିପାରିଲେନି କିପରି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ସୌମ୍ୟଙ୍କ ଶରୀରର ୯୫ ପ୍ରତିଶତ ପୋଡି ତାଙ୍କର ମୃତ୍ୟୁ ଘଟିଥିଲା । ଯଦି ୯୫ ପ୍ରତିଶତ ପୋଡିଗଲେ ତାହାଲେ ପତ୍ନୀ ବଚାଂଇଲେନି କିମ୍ବା ସହଯୋଗ କଲେନି କାହିଁକି । ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ମୋ ଭାଇ ସୌମ୍ୟ ମାତ୍ର ବର୍ଷକ ତଳେ ନିଆଁ ଲିଭାଇବା ପାଇଁ ଏସିଏଫ ଟ୍ରେନିଂ ନେଇଥିଲା । ସେ କଣ ଏତେ ଶୀଘ୍ର ଭୁଲିଗଲା ଓ ନିଜକୁ ବଚାଂଇବାକୁ ଚେଷ୍ଟା ବି କଲାନି । ରାତି ୯ଟାର ଘଟଣା, କାହିଁକି ସାଢ଼େ ୧୨ଟା ଯାଏଁ ପାରଳାଖେମୁଣ୍ଡିରେ ରହିଲେ । ଗୁରୁତର ଥିବା ସତ୍ୱେ କାହିଁକି ତାଙ୍କୁ ଭାଇଜାଗ ପଠାଗଲାନି । ଏଠାରେ ଉଲ୍ଲେଖଯୋଗ୍ୟ, ଜୁଲାଇ ୧୨ ତାରିଖ ରାତିରେ ନିଆଁରେ ପୋଡ଼ି ହୋଇ ଏସିଏଫ ସୌମ୍ୟରଞ୍ଜନ ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଜୁଲାଇ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।
