ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ଫାଟ; ଏଏସ୍ଆଇ ପକ୍ଷରୁ ମରାମତି କାମ ଆରମ୍ଭ
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ଫାଟ ସୃଷ୍ଟି ହୋଇଥିବାର ଖବର ମିଳିଛି । ଭିତର ପାର୍ଶ୍ୱରେ ବି ଅନେକ ଫାଟ ଦେଖିବାକୁ ମିଳୁଛି । ଏହାର ମରାମତି ଲାଗି ଏଏସଆଇ ପକ୍ଷରୁ ସିଂହଦ୍ୱାରରେ କାମ ଆରମ୍ଭ ହୋଇଛି । ଏହି କାରଣରୁ ସିଂହଦ୍ୱାର ବାଟେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି । ଆଜି ଉତର ଦ୍ୱାର ବାଟେ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ, ଶ୍ରୀଲିଙ୍ଗରାଜ ମନ୍ଦିରର ମରାମତି ଠିକ୍ ଭାବେ କରାଯାଉ ନ ଥିବାରୁ ମନ୍ଦିର କାନ୍ଥରେ କ୍ଷତ ବଢ଼ିବାରେ ଲାଗିଛି । ମୁଖ୍ୟ ମନ୍ଦିରରୁ ପାଣି ଗଳିବା, ସିଂହଦ୍ୱାର କବାଟରେ ଫାଟ ଓ ଆର୍ôଥଂ ନ ଥିବା ସମସ୍ୟା ପରେ ଏବେ ଆଉ ଏକ ସମସ୍ୟା ପଦାକୁ ଆସିଛି । ଅସ୍ଥାୟୀ କବାଟ ଲଗାଇବା ବେଳେ ସିଂହଦ୍ୱାର ନିକଟ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ସବୁଠାରୁ ବଡ଼ କଥା ହେଲା ପୁରୁଣା ପିତଳ କବାଟ କିଳିଣି ଲାଗିଥିବା ସ୍ଥାନରୁ ମନ୍ଦିର ବେକି ପର୍ଯ୍ୟନ୍ତ ଫାଟ ଲମ୍ବିଛି । ଆଉ ଗର୍ଭଗୃହ ଦ୍ୱାରବନ୍ଧରେ ସୃଷ୍ଟି ହୋଇଥିବା ଫାଟ ବଢ଼ିବାରେ ଲାଗିଛି । ପୂର୍ବରୁ ସରୁ ଥିବା ଏହି ଫାଟ ଏବେ କ୍ରମଶଃ ମେଲି ମେଲି ଆଁ କଲାଣି । ମାତ୍ର ଏଏସ୍ଆଇ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ତୁରନ୍ତ ମରାମତି ନକଲେ ସିଂହଦ୍ୱାର ଓ ଗର୍ଭଗୃହ ଦ୍ୱାର ବନ୍ଧ ପ୍ରତି ଭୟଙ୍କର ବିପଦ ରହିଛି ବୋଲି ଆଶଙ୍କା କରାଯାଉଛି ।
ମନ୍ଦିର ସିଂହଦ୍ୱାରର ପ୍ରବେଶ ପଥ ଉପରେ ଥିବା ମଝି କଳସ କଡ଼ରେ ପଥରର ବଡ଼ ଫାଟ ରହିଛି । ଏହି ଫାଟ ଦିନକୁ ଦିନ ଲମ୍ବି ଚାଲିଛି । ସେହିପରି ସିଂହଦ୍ୱାର ନିକଟରେ ଏବେ ନୂତନ କବାଟ ଲଗାଯିବା ପାଇଁ ପୁରୁଣା କବାଟକୁ ଖୋଲା ଯାଇଛି । ଏଠାରେ ଅସ୍ଥାୟୀ କବାଟ ଲଗାଯାଇଛି । ଏହି ଅସ୍ଥାୟୀ କବାଟ ଲଗାଇବା ବେଳେ ସିଂହଦ୍ୱାର ନିକଟରେ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ସେହିପରି ପୁରୁଣା ପିତଳ କବାଟ କିଳିଣି ଲାଗିଥିବା ସ୍ଥାନରୁ ମନ୍ଦିର ବେକି ପର୍ଯ୍ୟନ୍ତ ଫାଟ ଲମ୍ବିଛି । ସିଂହଦ୍ୱାର ନିକଟରେ ପିତଳ କବାଟ ଖୋଲିବା ପରେ ଏହା ଜଣାପଡ଼ିବାରୁ ଏପଟେ ଯିବା ଆସିବାକୁ ଗଣମାଧ୍ୟମକୁ ମଧ୍ୟ ବାରଣ କରାଯାଇଛି ।
