ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା : ସମ୍ମୁଖ ଯୋଦ୍ଧା ଓ ବୟସ୍କଙ୍କୁ ବୁଷ୍ଟର ଡୋଜ ଦିଆଯିବା ଉପରେ ଗୁରୁତ୍ୱ
ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
କୋଭିଡ ସୁରକ୍ଷା ନିୟମାବଳୀ ପାଳନ ପାଇଁ ଜନସାଧାରଣଙ୍କୁ ନିବେଦନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ତା ସହିତ ବରିଷ୍ଠ ନାଗରିକ ଓ ସମ୍ମୁଖ ଯୋଦ୍ଧା ମାନଙ୍କୁ ବୁଷ୍ଟର ଡୋଜ ଦେବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତମାନ ସକ୍ରିୟ କୋଭିଡ ରୋଗୀ ସଂଖ୍ୟା ସ୍ଥିର ରହିଥିବା ବେଳେ ନୂଆ ପଜିଟିଭ କେସ୍ରେ ମଧ୍ୟ ହ୍ରାସ ଘଟିଛି । ତୃତୀୟ ଲହରରେ ଡାକ୍ତରଖାନା ଉପରେ ବିଶେଷ ଚାପ ପଡିନାହିଁ । କିନ୍ତୁ ଏଥିରେ ଆତ୍ମସନ୍ତୋଷର ସ୍ଥାନ ନାହିଁ । ସଂପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ତା ସହିତ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କର ସକ୍ରିୟ ସହଯୋଗରେ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଜନସାଧାରଣ ଯେପରି କୋଭିଡ ସୁରକ୍ଷା ନିୟମାବଳୀ ଠିକ୍ ଭାବରେ ପାଳନ କରନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସକୁ ପରାମର୍ଶ ଦେଇଥିଲେ । ସେହିପରି ପୃଥକ ବାସରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ରେପିଡ୍ ରେସପନ୍ସ ଟିମ୍ ଓ କ୍ଷେତ୍ର କର୍ମଚାରୀ ମାନେ ଠିକ୍ ଭାବରେ ତଦାରଖ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ବର୍ତମାନ ପରିସ୍ଥିତିରେ ଆତଙ୍କିତ ନ ହୋଇ କୋଭିଡ ସୁରକ୍ଷା ନିୟମାବଳୀକୁ ସଠିକ୍ ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କୋଭିଡ ନିୟମାବଳୀର ପରିପାଳନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍କେ ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଏକ ବିସ୍ତୃତ ଚିତ୍ର ଉପସ୍ଥାପନା କରିଥିଲେ । ରାଜ୍ୟରେ ଦୈନିକ ଟେଷ୍ଟିଂ ୬୫ ହଜାରରୁ ୭୦ ହଜାର ରହିଥିବା ବେଳେ, ପଜିଟିଭିଟି ହାର ୧୧.୪ ପ୍ରତିଶତ ରହିଛି । ଯାହାକି ଜାତୀୟ ହାର ଠାରୁ କମ୍ ଅଟେ । ଯାଜପୁର, ବାଲେଶ୍ୱର, କଟକ, ସୁନ୍ଦରଗଡ ଓ ଖୋର୍ଦ୍ଧାରେ ପଜିଟିଭିଟି ହାର ତୁଳନାତ୍ମକ ଭାବେ ଅଧିକ ଅଛି ବୋଲି ସେ ସୂଚନା ଦେଇଥିଲେ । ସେହିପରି ଟିକାକରଣ ସ୍ଥିତି ମଧ୍ୟ ସନ୍ତୋଷଜନର ରହିଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଓ କଟକ ମ୍ୟୁନିସପାଲ କମିଶନର ଏବଂ ଖୋର୍ଦ୍ଧା ଓ ରାୟଗଡାର ଜିଲ୍ଲାପାଳ ମାନେ ସେମାନଙ୍କ ଅଂଚଳର ପରିସ୍ଥିତି ସଂପର୍କରେ ବୈଠକରେ ଉପସ୍ଥାପନା କରିଥିଲେ ।
