କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ
ନୂଆଦିଲ୍ଲୀ : ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଜରୁରୀକାଳୀନ ବ୍ୟବହାର ପାଇଁ ବୁଧବାର ଅନୁମତି ପ୍ରଦାନ କରିଛନ୍ତି । ଏହାସହିତ ଗତ କିଛି ମାସଧରି ଚାଲିଥିବା କଳ୍ପନାଜଳ୍ପନା ଓ ଆଶାଆଶଙ୍କାର ଅନ୍ତ ହୋଇଛି । ‘ହୁ’ ଅଧିକାରୀମାନେ ଅକ୍ଟୋବର ୨୬ରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଉପରେ ଏକ ସମୀକ୍ଷା ବୈଠକ କରିଥିଲେ । ସେଥିରେ ଏହି ଟିକା ବିଷୟରେ ଅଧିକ ବିବରଣୀ ଦେବାକୁ କମ୍ପାନୀକୁ ଅନୁରୋଧ କରାଯାଇଥିଲା । ପୂର୍ବରୁ ‘ହୁ’ ୫ଟି କରୋନା ଟିକା ଫାଇଜର ବାୟୋଏନଟେକ୍, ମଡର୍ଣ୍ଣା, ଜନସନ ଏଣ୍ଡ ଜନସନ, ଆଷ୍ଟ୍ରାଜେନିକା, ଚୀନର ସିନୋଫାର୍ମକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିସାରିଛି । ଭାରତୀୟ ଟିକାକୁ ବିଳମ୍ବରେ ଅନୁମତି ପ୍ରଦାନ କରୁଥିବାରୁ ‘ହୁ’କୁ ନେଇ ଭାରତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ଅନୁମତି ପ୍ରଦାନ ପରେ ଏହି ବିବାଦର ଅନ୍ତ ହୋଇଛି ।
ଏନେଇ ‘ହୁ’ର ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ସହ ସମଗ୍ର ବିଶ୍ୱରୁ ଅନେକ ନିୟାମକ ବିଶେଷଜ୍ଞ କୋଭାକ୍ସିନକୁ ଅନୁମୋଦନ କରିଛନ୍ତି । ସେମାନଙ୍କ ତରଫରୁ ଏକ ସମୀକ୍ଷା ପରେ କୁହାଯାଇଥିଲା ଯେ କରୋନା ଭୁତାଣୁରୁ ରକ୍ଷା କରିବାରେ କୋଭାକ୍ସିନ୍ ‘ହୁ’ର ମାନକ ପୂରଣ କରୁଛି । କରୋନା ଦ୍ୱାରା ସୃଷ୍ଟି ହେଉଥିବା ବିପଦ ଉପରେ କୋଭାକ୍ସିନ ବେଶ ପ୍ରଭାବଶାଳୀ । ତେଣୁ ଏହି ଟିକା ସାରା ବିଶ୍ୱରେ ବ୍ୟବହାର କରାଯାଇପାରିବ । ‘ହୁ’ର ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଏକ୍ସପର୍ଟ ଅଫ୍ ଇମ୍ୟୁନାଇଜେସନ୍ ଦ୍ୱାରା କୋଭାକ୍ସିନ୍ ଟିକାର ମଧ୍ୟ ସମୀକ୍ଷା କରାଯାଇଥିଲା । ଏହି ବିଶେଷଜ୍ଞ ଗୋଷ୍ଠୀ ଚାରି ସପ୍ତାହ ବ୍ୟବଧାନରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ କୋଭାକ୍ସିନ୍ ଦେବାର ପଦ୍ଧତିକୁ ଅନୁମୋଦନ କରିଛନ୍ତି । ଏହାପୂର୍ବରୁ ‘ହୁ’ର ମୁଖପାତ୍ର କହିଥିଲେ ଯେ ଯଦି କମିଟି ସନ୍ତୁଷ୍ଟ ହୁଏ ତେବେ ୨୪ଘଂଟା ମଧ୍ୟରେ ଭାରତର ଏହି ଟିକାକୁ ଅନୁମୋଦନ ମିଳିବ । ‘ହୁ’ର ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ଭରତ ବାୟୋଟେକ୍ ଠାରୁ ଅତିରିକ୍ତ ସୂଚନା, ଟୀକାକରଣ ଦ୍ୱାରା ସର୍ବଶେଷ ବିପଦ-ଉପକାର ମୂଲ୍ୟାଙ୍କନ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲେ । ଏହି ଅନୁମତି ମିଳିବା ପରେ କୋଭାକ୍ସିନ ଟିକା ନେଇଥିବା ଲୋକମାନଙ୍କୁ ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ସ୍ବୀକୃତି ମିଳିପାରିବ । ଏହା ସହିତ ଭାରତର ଏହି ଟିକା ଅନ୍ତର୍ଜାତୀୟ ଟିକା ମେଣ୍ଟ ‘କୋଭାକ୍ସ’ରେ ସାମିଲ ହୋଇପାରିବ । ଏହା ଫଳରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାଧ୍ୟମରେ ଏହି ଟିକାକୁ ଗରିବ ଦେଶମାନଙ୍କ ମଧ୍ୟରେ ବଣ୍ଟନ କରିହେବ। ସୂଚନା ଯେ, କୋଭାକ୍ସିନକୁ ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ବିକଶିତ କରିଛି । ଏହାକୁ ଭାରତରେ ଟିକାକରଣ ପାଇଁ ବ୍ୟବହାର କରାଯାଉଛି।
