ସୈନିକଙ୍କ କାରଣରୁ ଦେଶ ସୁରକ୍ଷିତ : ଉପରାଷ୍ଟ୍ରପତି
ଜୈସଲମେର : ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଜୈସଲମେର ଗସ୍ତର ଦ୍ୱିତୀୟ ଦିନ ସୋମବାର ଦିନ ଜୈସଲମେରର ସୈନ୍ୟ ଷ୍ଟେସନ ସ୍ଥିତ ଯୁଦ୍ଧ ସଂଗ୍ରାହାଳୟରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେ ସଂଗ୍ରହାଳୟର ସମୀକ୍ଷା କରିବା ସହ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଏହି ଅବସରରେ ଉପ-ରାଷ୍ଟ୍ରପତି ସଂଗ୍ରହାଳୟ ପରିସରରେ ଚାରାରୋପଣ କରିଥିଲେ । ତାଙ୍କ ସହ ରାଜ୍ୟପାଳ କଲରାଜ ମିଶ୍ର ଏବଂ ଶକ୍ତି ଏବଂ ଜଳସମ୍ପଦ ମନ୍ତ୍ରୀ ବି.ଡି. କଲ୍ଲା ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ସୀମା ସୁରକ୍ଷା ବଳଙ୍କ ଏକ ବାଟାଲିୟନ ପରିସରରେ ସୈନିକ ସମ୍ମିଳନୀକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଲେ ଯେ ଭାରତ ଶାନ୍ତିପ୍ରିୟ ଦେଶ ଅଟେ । ଆମେ କେବେ କାହା ଉପରେ ଆକ୍ରମଣ କରିନାହେଁ । ସୀମା ସେପଟୁ ନିଶା ଏବଂ ଆତଙ୍କବାଦ ଭାରତ ଉପରେ ଲଦା ଯାଉଛି କିନ୍ତୁ ସୁରକ୍ଷା ବଳ ଏମାନଙ୍କ ସହ ମୁକାବିଲା କରିବାରେ ଦକ୍ଷ । ସେମାନେ ଦେଶର ସୀମାର ସୁରକ୍ଷାରେ ଥିବା ବିଏସ୍ଏଫ୍ର ଜବାନ ଏବଂ ଅଧିକାରୀମାନଙ୍କୁ ସମ୍ବୋଧିତ କରି ସେମାନଙ୍କ ସାହସର ପ୍ରଶଂସା କଲେ । ଉପରାଷ୍ଟ୍ରପତି କହିଲେ ଯେ ବିଏସ୍ଏଫ୍ ଦେଶର ସୀମାର ସୁରକ୍ଷା କରିବାରେ ସିଦ୍ଧହସ୍ତ । ଦେଶର ଜବାନଙ୍କ କାରଣରୁ ଭାରତ ସୁରକ୍ଷିତ । ସେ କହିଛନ୍ତି ଯେ, ସୁରକ୍ଷା ବଳ ଆଧୁନିକ ଟେକ୍ନିକର ଉପଯୋଗ କରୁଛନ୍ତି । କଠିନ ପରିସ୍ଥିତିରେ ମଧ୍ୟ ସୁରକ୍ଷା ବଳର ଜବାନମାନେ କାମ କରୁଛନ୍ତି । ସେ ମନେପକାଇଥିଲେ ଯେ, ଲୋଂଗେବାଲା ଯୁଦ୍ଧରେ ଆର୍ମି, ବିଏସ୍ଏଫ୍ ଏବଂ ବାୟୁସେନାର ଉଦ୍ଭୂତ ତାଲମେଲ ଦେଖିବାକୁ ମିଳିଥିଲା । ଉପରାଷ୍ଟ୍ରପତି ସୁରକ୍ଷା ବଳଙ୍କ ଜବାନମାନଙ୍କୁ ପ୍ରଶଂସା କରି କହିଛନ୍ତି ଯେ ମତେ ଆପଣମାନଙ୍କ ଉପରେ ଗର୍ବ ଅନୁଭବ ହେଉଛି ।
