ଭୋଟ ଦେଇପାରିଲେ ନି ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନର ଭାର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାନ୍ଧରେ ରହିଛି । ସେ ହିଁ ମେୟରଙ୍କ ଠାରୁ ନେଇ କର୍ପୋରେଟର ପ୍ରାର୍ଥୀ ଚୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯେଉଁ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଥିଲେ, ରାଜଧାନୀରେ ଘର ଘର ବୁଲି ପ୍ରଚାର ବି କରୁଥିଲେ ସେହି ପ୍ରାର୍ଥୀଙ୍କ ପାଇଁ ଭୋଟ ବି ଦେଇପାରିଲେ ନାହିଁ । ତେବେ ସେ ନିଜ ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କୁ ଭୋଟ ଦେଇନାହାନ୍ତି । ଯାହାକୁ ନେଇ ରାଜଧାନୀରେ ଜୋରଦାର ଚର୍ଚ୍ଚା ହେଉଛି । ଅନେକ ଏସମ୍ପର୍କରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା କରୁଥିଲେ ମଧ୍ୟ ବାସ୍ତବତା ତାହା ନୁହେଁ ।
ସେପଟେ ଅପରାଜିତା କହିଛନ୍ତି, ଭୁବନେଶ୍ୱରରେ ରହି ମୋର ଭୋଟ ଦେବାକୁ ବହୁତ ଇଛା ଥିଲା । ମାତ୍ର ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ ପାସ କରିବା ପାଇଁ ହ୍ୱିପ ଜାରି କରାଯାଇଛି । ଯେଉଁଥିପାଇଁ ମୁଁ ଦିଲ୍ଲୀରେ ରହିଛି । ସୂଚନା ଅନୁସାରେ ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ଠାରୁ ଆରମ୍ଭ କରି କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଅପରାଜିତା । ସଂସଦ ଅଧିବେଶନ ଯୋଗ ଦେବା ପାଇଁ ଅଧାରୁ ପ୍ରଚାର ଛାଡ଼ି ପଳାଇ ଯାଇଥିଲେ । ଭୋଟ ଦିନରେ ଅନୁପସ୍ଥିତ ରହିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
