ଦୁର୍ନୀତି ମାମଲା : ଲାଲୁଙ୍କ ଘରେ ସିବିଆଇର ଚଢ଼ାଉ
ପାଟନା: କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ସୁପ୍ରିମୋ ଲାଲୁ ଯାଦବ ଏବଂ ତାଙ୍କ ଝିଅ ମିସା ଭାରତୀଙ୍କ ବିରୋଧରେ ଏକ ନୂଆ ଦୁର୍ନୀତି ମାମଲା ରୁଜୁ କରିଛି। ଲାଲୁ ଯାଦବଙ୍କ ଏହି ନୂଆ ମାମଲା ସମ୍ପର୍କରେ ଦିଲ୍ଲୀ ଏବଂ ବିହାରର ମୋଟ ୧୭ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଶୁକ୍ରବାର ସକାଳେ ସିବିଆଇ ଲାଲୁ ଓ ତାଙ୍କ ପତ୍ନୀ ରାବଡୀ ଦେବୀ ଏବଂ ଝିଅ ମିସାଙ୍କ ବାସଭବନରେ ଛାନଭିନ୍ କରିଛି।
ଲାଲୁ ରେଳମନ୍ତ୍ରୀ ଥିବାବେଳେ ରେଳବାଇ ନିଯୁକ୍ତି ସ୍କାମ୍ ମାମଲାରେ ଏହି ଚଢ଼ାଉ କରାଯାଇଛି ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି । ଅଭିଯୋଗ ହୋଇଛି ଯେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ରେଳମନ୍ତ୍ରୀ ଭାବେ ଲାଲୁଙ୍କ କାର୍ଯ୍ୟକାଳରେ ରେଳବାଇରେ ଚାକିରୀ ବଦଳରେ ଅନେକ ଲୋକଙ୍କୁ ଠାରୁ ସେମାନଙ୍କ ଜମି ନିଆଯାଇଥିଲା । ଶେଷ ଥର ପାଇଁ ଲାଲୁଙ୍କ ବାସଭବନରେ ୭ ଜୁଲାଇ ୨୦୧୭ରେ ଚଢାଉ କରାଯାଇଥିଲା। ସୂଚନା ଯେ, ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଯାଦବଙ୍କୁ ଗତ ମାସ ୨୨ ତାରିଖରେ ଝାରଖଣ୍ଡ ହାଇକୋର୍ଟ ଜାମିନ ଦେଇଥିଲେ। ଜାମିନ ମିଳିବା ପରେ ସେ କିଛି ଦିନ ଏମ୍ସରେ ଚିକିତ୍ସିତ ହୋଇଥିଲେ। ଏହାପରେ ସେ ଏବେ ନିଜ ବଡ଼ ଝିଅ ମିଶା ଭାରତୀଙ୍କ ଘରେ ଅଛନ୍ତି।
