ଦେଶରେ ଉପରମୁହାଁ କୋରୋନା ସଂକ୍ରମଣ ! ଆଉ ୨୧୮୩ ସଂକ୍ରମିତ ଓ ୨୧୪ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣିଥରେ ଉପରମୁହାଁ ହୋଇଛି । କିଛି ଦିନ ହେଲା ଦୈନିକ ପଜିଟିଭ ମାମଲା ହଜାରେ ତଳେ ରହୁଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ଦୈନିକ ମାମଲାରେ ୯୦ ପ୍ରତିଶତ ବୃଦ୍ଧି ଘଟିଛି । ଦିନକରେ ଦେଶରେ ୨,୧୮୩ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହା ପରେ ମୋଟ ସଂକ୍ରମିତ ସଂଖ୍ୟା ୪,୩୦,୪୪,୨୮୦ କୁ ବୃଦ୍ଧି ପାଇଛି । ତେବେ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦିନକରେ ଦେଶରେ ୨୧୪ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧,୯୮୫ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଦେଶରେ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୫୪୨କୁ ହ୍ରାସ ପାଇଛି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, କରୋନାରେ ଦେଶରେ ଆଉ ୨୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫,୨୧,୯୬୫ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଯେଉଁ ୨୧୪ ଜଣଙ୍କର ମୃତ୍ୟୁ ମାମଲା ରିପୋର୍ଟ ହୋଇଛି, ସେମାନଙ୍କ ମଧ୍ୟରୁ ୨୧୩ ଜଣ କେରଳର। ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୦୩ ପ୍ରତିଶତ ଥିବାବେଳେ ଜାତୀୟ ସୁସ୍ଥତା ହାର ହେଉଛି ୯୮.୭୬ ପ୍ରତିଶତ। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ ୧୬ ଟି ମାମଲା ହ୍ରାସ ପାଇଛି। ସେହିପରି ଦେଶରେ ଦୈନିକ ସଂକ୍ରମଣ ହାର ୦.୮୩ ପ୍ରତିଶତ ଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୦.୩୨ ପ୍ରତିଶତ ରେକର୍ଡ କରାଯାଇଛି। ତଥ୍ୟ ଅନୁଯାୟୀ, ସୁସ୍ଥ ରୋଗୀଙ୍କ ସଂଖ୍ୟା ୪,୨୫,୧୦,୭୭୩ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣ ଜନିତ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୧୮୬.୫୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।
