କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ଡା. ଆରତୀ ବେହେରା
ବାଲେଶ୍ୱର : ଅବସରପ୍ରାପ୍ତ ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ ଡା. ଆରତୀ ବେହେରା ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ତାଙ୍କ ବିୟୋଗରେ ବାଲେଶ୍ୱର ଓ ମୟୂରଭଞ୍ଜ ଚିକିତ୍ସା ବିଭାଗରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଡା. ବେହେରା ବାଲେଶ୍ୱରରେ ଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଦକ୍ଷତାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପରବର୍ତ୍ତୀ ସମୟରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ବଦଳି ହୋଇଥିଲେ । ହେଲେ ଅବସର ଗ୍ରହଣ କରିବା ପରେ ବାଲେଶ୍ୱରରେ ରହି ଚିକିତ୍ସା ଜାରି ରଖିଥିଲେ । ଏହାରି ମଧ୍ୟରେ ନିଜର ଶାରୀରିକ ଅସୁସ୍ଥତା ପାଇଁ ଗତ ଅକ୍ଟୋବର ମାସରେ ଦିଲ୍ଲୀ ଯାଇ ଚିକିତ୍ସିତ ହେଉଥିଲେ । ନିଜର ଚିକିତ୍ସା କରାଇବା, ସୁସ୍ଥ ହେବା ପରେ ସେଠାରେ କରୋନାରେ ଆକ୍ରାନ୍ତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଦିଲ୍ଲୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଖବର ପ୍ରସାର ହେବା ପରେ ବିଭିନ୍ନ ଚିକିତ୍ସକ ମହଲ, ଫାର୍ମାସିଷ୍ଟ ଏବଂ ବାଲେଶ୍ୱର ରୋଟାରୀ କ୍ଲବ, ଲାୟନ୍ସ କ୍ଲବ ତଥା ବିଭିନ୍ନ ସଙ୍ଗଠନ ସାଙ୍ଗକୁ ଗୋପାଳଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
