ବାଲେଶ୍ଵର : ମା’ ବଗଳାଦେବୀଙ୍କ ଜନ୍ମୋତ୍ସବ ଏବଂ ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠର ନବମ ବାର୍ଷିକୋତ୍ସବ
ମା’ଙ୍କ ବଡ଼ସିଂହାର ବେଶ ଦେଖି ସାତ ଜନ୍ମର ପୂଣ୍ୟ ଅର୍ଜିଲେ ଭକ୍ତ
ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ଠାରେ ତ୍ରିଦିବସାତ୍ମକ ମା’ ବଗଳାଦେବୀଙ୍କ ଜନ୍ମୋତ୍ସବ ଏବଂ ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠର ନବମ ବାର୍ଷିକୋତ୍ସବ ଏକ ଭକ୍ତିମୟ ପରିବେଶରେ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ପକ୍ଷରୁ ଜାରି କୋଭିଡ୍ କଟକଣା ଅନୁଯାୟୀ ପୀଠ ପକ୍ଷରୁ ଏହି ଉତ୍ସବ ନିରାଡ଼ମ୍ବର ଭାବେ ପାଳନ ହେଉଥିବା ଦେଖିବାକୁ ମିଳିଛି । କେବଳ ପୀଠ ପରିସରରେ ଅଧିଷ୍ଠାତ୍ରୀ ଦେବୀ ମା’ ବଗଳାମୁଖୀ ଓ ଅନ୍ୟ ଦେବାବେଦୀଙ୍କ ଅଭିଷେକ ଓ ଅର୍ଚ୍ଚନା ସହିତ ଯଜ୍ଞାଦିକର୍ମ ଅନୁଷ୍ଠିତ ହେଉଛି ।
ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ସାମୁହିକ ଘଟଉତ୍ତୋଳନ ଓ କଳସ ଶୋଭାଯାତ୍ରକୁ ଚଳିତ ବର୍ଷ ବାତିଲ କରାଯାଇଥିବା ପୀଠ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶ୍ରଦ୍ଧାଳୁ ଓ ମାନସିକଧାରୀମାନେ ପର୍ଯ୍ୟାୟକ୍ରମରେ ପୀଠକୁ ଆସି ବ୍ରତୀ ଭାବେ ସଂକଳ୍ପିତ ହୋଇ ନିଜ ନିଜ ଘଟ ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ । ଅନ୍ୟପକ୍ଷରେ ମୁଖ୍ୟ ସଂକଳ୍ପିତମାନେ ସରସ୍ୱତୀପୁର ଗାଁ ପୁଷ୍କରିଣୀ ଘାଟରେ ବିଶେଷ ପୂଜାର୍ଚନା ସହ ଘଟ ଉତ୍ତୋଳନ ସହ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଜ୍ଞ ପଣ୍ଡିତ ଏବଂ ବ୍ରାହ୍ମଣ ମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳାଦର୍ଶନ, ଅଗ୍ନିସ୍ଥାପନ, ଶ୍ରୀ ମନ୍ଦିରରୁ ମାଙ୍କ ଯଜ୍ଞମଣ୍ଡପକୁ ଆଗମନ, ଅର୍ଚ୍ଚନ, ସହସ୍ରାଦି ବଗଳା ମନ୍ତ୍ରରେ ଯଜ୍ଞାହୁତି ସହ ସନ୍ଧ୍ୟାରେ ପୁନର୍ବାର ଶ୍ରୀମନ୍ଦିରକୁ ମା’ଙ୍କ ପ୍ରତ୍ୟାବର୍ତ୍ତନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମା’ ବଗଳାମୁଖୀଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ମା’ଙ୍କର ଏହି ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ବିମୋହିତ ହୋଇଥିଲେ । ଶନିବାର ଓ ରବିବାର ଦୁଇଦିନ ବ୍ୟାପୀ ମା’ଙ୍କୁ ବିଶେଷ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ଶେଷଦିନ ମହାମୃତ୍ୟୁଞ୍ଜୟଙ୍କର ଜଳାଭିଷେକ, ଦୁଗ୍ଧାଭିଷେକ, ଦଧ୍ୟାଭିଷେକ, ଘୃତ୍ୟାଭିଷେକ, ଶର୍କରାଭିଷେକ ସମେତ ହରିଦ୍ରାଭିଷେକ, କୁଙ୍କୁମାଭିଷେକ ପରେ ରାଜବେଶ କରାଯିବ ବୋଲି ପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜ ସୂଚନା ଦେଇଛନ୍ତି । ତେବେ ରବିବାର ରଟନ୍ତୀ ଚତୁର୍ଦ୍ଦଶୀ ତିଥିରେ ମା’ ବଗଳାମୁଖୀଙ୍କ ଜନ୍ମଦିବସ ପାଳନ ହେବ । ଏହି ଅବସରରେ ମହାଯଜ୍ଞର ପୂର୍ଣ୍ଣାହୂତି ଅବ୍ୟବହିତ ପୂର୍ବରୁ ମା’ଙ୍କ ନିକଟରେ ୧୦୦୮ ପ୍ରକାର ବ୍ୟଞ୍ଜନ ସମ୍ବଳିତ ପ୍ରସାଦ ଲାଗି କରାଯିବାର ବ୍ୟବସ୍ଥା ରହିଛି ବୋଲି ସେ ସୂଚନା ଦେଇଥିଲେ । ଏହି ଦିନମାନଙ୍କରେ ମା’ଙ୍କୁ ଦର୍ଶନ କଲେ ସାତ ଜନ୍ମର ପୂଣ୍ୟ ମିଳିଥାଏ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି ।
