ଏଣିକି ୩ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦିଆଯିବ କୋରୋନା ଟିକା! ଜାଣନ୍ତୁ କେମିତି ଓ କେବେ
ନୂଆଦିଲ୍ଲୀ : ଦେଶବାସୀଙ୍କ ପାଇଁ ଖୁସି ଖବର। ଆଗାମୀ ୬ ମାସ ମଧ୍ୟରେ ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଆସିବ କୋରୋନା ଟିକା। କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏଣିକି ୩ରୁ ଅଧିକ ବୟସ ପିଲାଙ୍କୁ ଦିଆଯିବ କୋରୋନା ଟିକା ନୋଭାଭାକ୍ସ କୋଭିଡ-୧୯। ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ୬ ମାସ ଭିତରେ ପିଲାଙ୍କୁ ଏହି ଟିକା ଦିଆଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କମ୍ପାନୀର ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ପୁନାୱାଲା କହିଛନ୍ତି ଯେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଆସନ୍ତା ୬ ମାସ ମଧ୍ୟରେ ପିଲାଙ୍କ ପାଇଁ ନୋଭାଭାକ୍ସ କୋଭିଡ-୧୯ ଟିକା ପ୍ରସ୍ତୁତ କରାଯିବ ଏବଂ ଏହାକୁ ବ୍ୟବହାର ନିମନ୍ତେ ଅନୁମତି ଦିଆଯିବ। ବର୍ତ୍ତମାନ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ କରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ୩ରୁ ଅଧିକ ବୟସର ପିଲାଙ୍କ ଲାଗି ଏହା ବରଦାନ ସଦୃଶ ହେବ।
ଦେଶରେ କୋରୋନାର ଦ୍ରୁତ ସଂକ୍ରମଣକୁ ପ୍ରତିହତ କରିବାକୁ ଟିକା ଅନ୍ୟତମ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟକୁ ୩୦୦୦ କୋଟି ଟଙ୍କା ଅନୁଦାନ ଆକାରରେ ଯୋଗାଇଦେଇଛନ୍ତି। ବିଶ୍ୱର ଏହି ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସଂପ୍ରତି ମାସକୁ ୭୦ ନିୟୁତ ଟିକା ଉତ୍ପାଦନ କରୁଥିବାବେଳେ ତାହା ମାସକୁ ୧୦୦ ନିୟୁତ ଡୋଜକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ପାଣ୍ଠି ଲୋଡିଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ୧୮ ବର୍ଷ ଏବଂ ତାହାଠାରୁ ଅଧିକ ବୟସର ସମସ୍ତଙ୍କ ପାଇଁ କୋଭିଡ ଟିକାକରଣ ଉନ୍ମୁକ୍ତ ରଖିଛନ୍ତି। ଏବେ ପିଲାଙ୍କ ପାଇଁ ଟିକା ପ୍ରସ୍ତୁତ ହେଉଥିବାରୁ ବିପୁଳ ଟିକା ଆବଶ୍ୟକ ପଡିବ। ସେରମ ଇନଷ୍ଟିଚ୍ୟୁଟର ଉତ୍ପାଦନ କ୍ଷମତା ବୃଦ୍ଧି ଘଟିଲେ ସେହି ଆବଶ୍ୟକତାକୁ କିଛି ଅଂଶରେ ପୂରଣ କରାଯାଇପାରିବ ବୋଲି ସରକାର ମନେକରୁଛନ୍ତି।
