ଚପର ଦୁର୍ଘଟଣା : ଜୀବନ ଯୁଦ୍ଧରେ ହାରିଗଲେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ହେଲିକେପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ ଆଉ ନାହାନ୍ତି। ୭ଦିନ ଜୀବନ ଯୁଦ୍ଧ ଲଢ଼ିବା ପରେ ଶେଷରେ ବାଙ୍ଗାଲୁରୁର କମାଣ୍ଡ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ଭାରତୀୟ ବାୟୁସେନା ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।
ସିଡିଏସ୍ ଜେନେରାଲ୍ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ଦେହାନ୍ତ ହୋଇଛି। ଭାରତୀୟ ବାୟୁସେନା କହିଛି ଯେ ବାହାଦୁର ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇ ଆମେ ଅତ୍ୟନ୍ତ ଦୁଃଖିତ। ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁର କୁନୁରରେ ୮ ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣା ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ଭାରତୀୟ ବାୟୁସେନା ସମବେଦନା ଜଣାଇଛି ।
ଗାଲାଣ୍ଟ୍ରି ପୁରସ୍କାର ବିଜେତା ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ଏକ ସାମରିକ ପରିବାରରୁ ଆସିଛନ୍ତି । ଉତ୍ତରପ୍ରଦେଶର ଦେଓରିଆ ନିବାସୀ ବରୁଣ ସିଂଙ୍କ ପରିବାର ଏହି ତିନି ବାହିନୀ – ଜଳ, ସ୍ଥଳ ଏବଂ ଆକାଶ ସହିତ ଜଡିତ। ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ଭାରତୀୟ ବାୟୁସେନା (ଆଇଏଏଫ) ର ଅଟନ୍ତି। ତାଙ୍କ ପିତା ଅବସରପ୍ରାପ୍ତ କର୍ଣ୍ଣେଲ କେ.ପି ସିଂ ଆର୍ମି ଏୟାର ଡିଫେନ୍ସ (ଏଏଡ଼ି ) ରେଜିମେଣ୍ଟରେ ଥିଲେ। କର୍ଣ୍ଣେଲ କେ.ପି ସିଂଙ୍କ ଦ୍ୱିତୀୟ ପୁଅ ଏବଂ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ସାନଭାଇ ଲେଫ୍ଟନାଣ୍ଟ କମାଣ୍ଡର ତନୁଜ ସିଂ ଭାରତୀୟ ନୈସେନାରେ ଅଛନ୍ତି। ବରୁଣଙ୍କ ପରିବାର ଭୋପାଳରେ ରୁହନ୍ତି। ଚଳିତ ବର୍ଷ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ୱାରା ବରୁଣ ସିଂଙ୍କୁ ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଫ୍ଲାଇଙ୍ଗ୍ କଣ୍ଟ୍ରୋଲ୍ ସିଷ୍ଟମ୍ ନଷ୍ଟ ହେବା ପରେ ମଧ୍ୟ ୧୦ ହଜାର ଫୁଟ ଉଚ୍ଚତାରୁ ତେଜସ୍ ବିମାନର ସଫଳ ଅବତରଣ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ବିପର୍ଯ୍ୟୟ ସମୟରେ ବରୁଣ ଧୈର୍ଯ୍ୟ ହରାଇ ନଥିଲେ ଏବଂ ଏହାକୁ ଜନବସତିଠାରୁ ଦୂରେଇ ନେଇ ବିମାନର ସଫଳ ଅବତରଣ କରିଥିଲେ।
