ଦିଲ୍ଲୀରେ କରୋନା ବିସ୍ଫୋରଣ, ସଂକ୍ରମଣ ହାର ୭.୭୯%କୁ ବୃଦ୍ଧି
ନୂଆଦିଲ୍ଲୀ : ଲଗାତାର ଦ୍ୱିତୀୟ ଦିନ ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ୫୦୦ରୁ ଅଧିକ କୋଭିଡ ମାମଲା ରେକର୍ଡ ହୋଇଛି। ସୋମବାର ଦିଲ୍ଲୀର ପଜିଟିଭିଟି ହାର ୭% ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୫୦୧ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି। ଏହି ମାମଲା ପରେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ୭.୭୯%କୁ ବୃଦ୍ଧି ପାଇଛି, ଯାହା ଜାନୁୟାରୀ ୨୮ ଠାରୁ ସର୍ବାଧିକ। ଜାନୁଆରୀ ୨୮ରେ ଦିଲ୍ଲୀରେ ସଂକ୍ରମଣ ହାର ୮.୬୦% ଥିଲା।
ବର୍ତ୍ତମାନ ଦିଲ୍ଲୀରେ ୧୭୨୯ ସକ୍ରିୟ କୋରୋନା ରୋଗୀ ଅଛନ୍ତି। ଏହା ମାର୍ଚ୍ଚ ପହିଲା ପରେ ସର୍ବାଧିକ ସଂଖ୍ୟା। ଦେଢ ମସ ପୂର୍ବେ ରାଜଧାନୀରେ ୧୭୬୯ ଜଣେ ସକ୍ରିୟ କୋରୋନା ରୋଗୀ ଥିଲେ। କେବଳ ଦିଲ୍ଲୀ ନୁହେଁ, ଏହାର ଆଖପାଖ ଅଞ୍ଚଳରେ ମଧ୍ୟ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି। ୟୁପିର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ସୋମବାର କୋରୋନାର ୬୫ଟି ନୂଆ ମାମଲା ଟିହ୍ନଟ ହୋଇଛି। ଗୌତମ ବୁଦ୍ଧ ନାଗରରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି, ଯେଉଁଥିରେ ପ୍ରାୟ ୧୦୦ ଛୋଟପିଲା ଅଛନ୍ତି।
ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୋମବାର କହିଛନ୍ତି ଯେ, ଜାତୀୟ ରାଜଧାନୀରେ କୋଭିଡ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି, କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବା ହାର କମ୍ ଥିବାରୁ ଏହା ଚିନ୍ତାଜନକ ପରିସ୍ଥିତି ନୁହେଁ। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ଫେସ୍ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏଥିରେ ମାସ୍କ ନ ପିନ୍ଧିବା ପାଇଁ ଜୋରିମାନା ଲାଗୁ କରାଯିବ ବୋଲି ଜୈନ କହିଛନ୍ତି।
ସୂଚନା ଯେ, ଦେଶରେ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ, ୧୮ରୁ ୫୯ ବର୍ଷ ବୟସର ୨୧୫୮୦ ଲୋକ କୋରୋନା ଟୀକାର ବୁଷ୍ଟର ଡୋଜ୍ ନେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବୟସ ବର୍ଗର ହିତାଧିକାରୀମାନଙ୍କୁ ଟୀକାର ୧୮୪୩୧୪ ବୁଷ୍ଟର ଡୋଜ୍ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୮୬.୭ କୋଟିରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି ଏବଂ ସୋମବାର ୧୫ ଲକ୍ଷରୁ ଅଧିକ ଡୋଜ ଦିଆଯାଇଛି।
