୩ ରୁ ୬ ଡିସେମ୍ବରରୁ ଗାନ୍ଧୀ ଷ୍ଟଡିୟମରେ କୁଚ ବେହାର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବଲାଙ୍ଗିର : ଓଡିଶା କ୍ରିକେଟ ଏସୋସିଏସନ (ଓସିଏ) ଆନୁକୁଲ୍ୟରେ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ୩ ଡିସେମ୍ବର ରୁ ୬ ଡିସେମ୍ବର ପର୍ଯ୍ୟନ୍ତ ସର୍ବ ଭାରତୀୟ ୧୯ ବର୍ଷ ବର୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ “କୁଚ ବେହାର ଟ୍ରଫି” ଓଡିଶା ବନାମ ବିଦର୍ଭ ମଧ୍ୟରେ ଖେଳ ଆୟୋଜନ କରିବ । ଏଥି ପାଇଁ ଷ୍ଟାଡିୟମ ପରିସରରେ ବୁଧବାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ସଂସଦର ସାଧାରଣ ସଂପାଦକ ହରି ନାରାୟଣ ପୂଜାରୀଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ପର୍କିତ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନ ଉପରେ ସମ୍ପାଦକ ଶ୍ରୀ ପୂଜାରୀ ଆଲୋଚନା କରିଥିଲେ । ଏଥିରେ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘନ ସିଂହ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଫୁଟବଲ ସଂପାଦକ ହେମନ୍ତ ବେହେରା, ବରିଷ୍ଠ ସଭ୍ୟ ସୁଧିର ଚନ୍ଦ୍ର ପଣ୍ଡା, କ୍ରିକେଟ କୋଚ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁଗ୍ମ ସଂପାଦକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ୧ ଓ ୨ ତାରିଖରେ ଉଭୟ ଦଳ ଷ୍ଟାଡିୟମରେ ପ୍ରାକ୍ଟିସ ମ୍ୟାଚ ଖେଳିବେ । ମ୍ୟାଚ ରେଫରି ଭାବେ ଡ. ରୋହିତ ପ୍ରକାଶ, ଅମ୍ପେୟାର ଭାବେ ରାକେଶ ରାଘବନ ଓ ଅନମୋଲ ଶାରଦା, ଓ ସ୍ପୋରର ଭାବେ ସନ୍ଦିପ ଜି. ଓ ବିଶ୍ୱଜିତ ମନ୍ଦାନ, ଭିଡିଓ ଏନାଲିଷ୍ଟ ଭାବେ ତାପସ ନାଏକ ଏବଂ ସଂଜୟ କୁମାର ଜେଆର୍ ପ୍ରମୁଖ ଏ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିବେ ବୋଲି ସଂପାଦକ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।
