ଧାମନଗର ଉପ-ନିର୍ବାଚନ ପାଇଁ ଖୋଲିବ ନିୟନ୍ତ୍ରଣ କକ୍ଷ, ଦିନ ରାତି ହେବ ଅବକାରୀ ଚଢାଉ
ଭୁବନେଶ୍ୱର : ଧାମନଗର ଉପ-ନିର୍ବାଚନ ସମୟରେ ଯେଭଳି କୌଣସି ଅବକାରୀ ଜନିତ ଅଘଟଣ ନଘଟେ ତାହା ଉପରେ କଡା ନଜର ରଖିବାପାଇଁ ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଅବକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ସିଂହ ଆଜି ଉପନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ଧରପଗଡ ଓ କାର୍ଯ୍ୟାନୁଷ୍ଠାନ ନେଇ ସମୀକ୍ଷା କରିଛନ୍ତି ।
ଅବକାରୀ କମିଶନର ଶ୍ରୀ ସିଂହ ଭଦ୍ରକ ଅବକାରୀ ଅଧିକ୍ଷକଙ୍କୁ ଅଧିକ ନିୟନ୍ତ୍ରଣ କକ୍ଷ ଖୋଲିବା ସହିତ ଦିନ ଓ ରାତି ପଇଁନ୍ତରା ଓ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ୱର ଅବକାରୀ ଅଧିକ୍ଷକ ଭଦ୍ରକ ଜିଲ୍ଲାର ଆଖପାଖ ଅଂଚଳରେ ପ୍ରତିଦିନ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ ଓ ଇଆଇ ଓ ଇବି ୟୁନିଟ୍-୨, କଟକର ଅଧିକ୍ଷକ ଭଦ୍ରକରେ କ୍ୟାମ୍ପ କରି ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ର୍ନିବାଚନ ପାଇଁ ସମସ୍ତଙ୍କୁ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ କୌଣସି ପରିସ୍ଥିତିରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଅବକାରୀ କମିଶନର ସତର୍କ କରାଇ ଦେଇଛନ୍ତି ।
ଭଦ୍ରକର ପଡ଼ୋଶୀ ଜିଲ୍ଲା ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ୱରର ଅଧିକ୍ଷକ ମାନଙ୍କୁ ନିଶାଦ୍ରବ୍ୟର ବେଆଇନ ଚାଲାଣ ଉପରେ ନଜର ରଖିବାକୁ ଏବଂ ପ୍ରତିଦିନ ନିର୍ଦ୍ଦେଶାଳୟ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକର ଏସଇଙ୍କୁ ମଧ୍ୟ ର୍ନିଦ୍ଧାରିତ ଫର୍ମାଟରେ ରିପୋର୍ଟ ଦାଖଲ କରିବା ଏବଂ ଏନଫୋର୍ସମେଂଟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତିଦିନ ପ୍ରବର୍ତନ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ କେନ୍ଦ୍ରାଂଚଳ ଅତିରିକ୍ତ ଅବକାରୀ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପାଲଟା, ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ମିଶ୍ର, ରଜତ କୁମାର ପ୍ରହରାଜ ଏବଂ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ୱର, ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଇଆଇ ଏବଂ ଇବି ୟୁନିଟ-୨, କଟକର ଅଧିକ୍ଷକ ଯୋଗ ଦେଇଥିଲେ ।
