ଜାରି ରହିଛି ବର୍ଷା, ଚିଲିକାକୁ ବିଦେଶୀ ପକ୍ଷୀ ଆଗମନରେ ବିଳମ୍ବ
ବ୍ରହ୍ମଗିରି : ଅକ୍ଟୋବର ପ୍ରଥମ ସପ୍ତାହ ବେଳକୁ ଚିଲିକାକୁ ବିଦେଶାଗତ ଅତିଥି ପକ୍ଷୀଙ୍କ ଆଗମନ ହୋଇଯାଇଥାଏ । ମାତ୍ର ଚଳିତବର୍ଷ ମୌସୁମୀ ଫେରିବାରେ ବିଳମ୍ବ ହେଉଥିବାରୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ପାଇଁ ବାତାବରଣ ଅନୁକୂଳ ହୋଇନଥିବାରୁ ଏଥିରେ ସାମାନ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ପ୍ରଭାବରୁ ବିଦେଶାଗତ ଅତିଥି ପକ୍ଷୀଙ୍କ ଆଗମନରେ ବିଳମ୍ବ ହେଉଥିବାବେଳେ ଅନ୍ୟପଟେ ଶୀତର ସାମାନ୍ୟ ମଧ୍ୟ ପ୍ରଭାବ ଅନୁଭୂତ ହୋଇ ନାହିଁ। ଚିଲିକା ବାୟୁମଣ୍ଡଳରେ ଦିନର ତାପମାତ୍ରା ୩୨ ଡିଗ୍ରି ଉପରେ ରହୁଥିବା ବେଳେ ଆଭ୍ୟନ୍ତରୀଣ ତାପମାତ୍ରା ୩୫ ଡିଗ୍ରି ଉପରେ ରହୁଛି।
ଆଜି ପର୍ଯ୍ୟନ୍ତ ଚିଲିକାକୁ ବିଦେଶାଗତ ଅତିଥି ପକ୍ଷୀ ଆସି ନାହାନ୍ତି। ଚିଲିକାର ପକ୍ଷୀ ଅଭୟାରଣ୍ୟ ନଳବଣରେ ବର୍ଷ ତମାମ ରହିଥିବା କିଛି ପ୍ରଜାତିର ବିଦେଶୀ ଅତିଥି ପକ୍ଷୀ ଚିଲିକା ଉପକୂଳ ଇଲାକାରେ ଦେଖିବାକୁ ମିଳୁଛନ୍ତି। ଅନ୍ୟପଟେ ବିଦେଶାଗତ ଅତିଥି ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ୍ ପକ୍ଷରୁ ଏବେଠାରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ଜଳ ଓ ସ୍ଥଳଭାଗରେ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି। ଡିଭିଜନ୍ର ୫ଟି ରେଞ୍ଜରେ ସ୍ବତନ୍ତ୍ର ପକ୍ଷୀ ସୁରକ୍ଷା କ୍ୟାମ୍ପ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଛି। ୨୦ଟି କ୍ୟାମ୍ପରେ ୬୬ ଜଣ ସୁରକ୍ଷା ଅଧିକାରୀ ନିୟୋଜିତ ହୋଇ ସାରିଛନ୍ତି।
