ଠିକାଦାରଙ୍କ ମନମାନିରେ ଚାଲିଛି ଗ୍ରାମାଂଚଳରେ ସୋକ୍ପିଟ୍ ଓ ଆବର୍ଜନାକୁଣ୍ଡ ନିର୍ମାଣ : ଉଚ୍ଚସ୍ତରୀୟ ତଦନ୍ତ ଦାବି
ସାଲେପୁର : ଗ୍ରାମାଂଚଳରେ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ବ୍ୟକ୍ତିଗତ ସୋକ୍ପିଟ୍ ନିର୍ମାଣ ପାଇଁ ୩୫୦୦ ଟଙ୍କା ଓ ଗ୍ରାମପଂଚାୟତ ପକ୍ଷରୁ ୧୫୦୦ ଟଙ୍କା ଏପରି ୫ ହଜାର ଟଙ୍କା ଯୋଗାଇ ଦିଆଯାଉଛି । ସେହିପରି ସରକାରୀ ନଳକୂପର ଆବର୍ଜନା ପାଣି ଷ୍ଟକ୍ ରଖିବା ପାଇଁ ସୋକ୍ପିଟ୍ ନିର୍ମାଣ ପାଇଁ ଯୋଜନା ରହିଛି । ତତ୍ସହିତ ପ୍ରତି ୱାଡ୍ ର ଛକରେ ବର୍ଜ୍ୟବସ୍ତୁକୁ ଏଣେତେଣେ ନ ପକାଇ ଗୋଟିଏ ସ୍ଥାନରେ ପକାଇବା ପାଇଁ ୩୫ ହଜାର ଟଙ୍କା ବିନିମୟରେ ଆବର୍ଜନାକୁଣ୍ଡ କରାଯିବା ପାଇଁ ସରକାର ଅନୁଦାନ ଦେଉଥିଲା ବେଳେ ପ୍ରତି ୱାର୍ଡରୁ ଆବଜନାକୁ ସଂଗ୍ରହ କରି ପଂଚାୟତର ଏକ ସ୍ଥାନରେ ଠୁଳ କରିବା ପାଇଁ ୧ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ଗୋଷ୍ଠୀ ଆବର୍ଜନା କେନ୍ଦ୍ର ନିର୍ମାଣ କରିବା ପାଇଁ ସରକାର ଯୋଗାଇ ଦେଉଛନ୍ତି । ପ୍ରତିୱାର୍ଡର ଆବର୍ଜନାକୁ ପଂଚାୟତରେ ହୋଇଥିବା ଗୋଷ୍ଠୀ ଆବର୍ଜନା କେନ୍ଦ୍ରକୁ ନେବା ପାଇଁ ପଂଚାୟତର ଏକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ମାସିକ ଦୁଇ ହଜାର ଟଙ୍କା ପାରିଶ୍ରମିକ ମଧ୍ୟ ଦିଆଯିବାର ବ୍ୟବସ୍ଥା ହୋଇଛି । ମାତ୍ର ଦୁଃଖ ଓ ପରିତାପର ବିଷୟ ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଂଚାୟତରେ ପ୍ରଥମ ପର୍ଯ୍ୟାୟରେ ବ୍ୟକ୍ତିଗତ ସୋକ୍ ପିଟ୍ ୩୦୪୪ ଗୋଟି ଅନୁମୋଦିତ ହୋଇଥିଲା ବେଳେ ସରକାରୀ ସୋକ୍ପିଟ୍ ୨୪୧୬ଟି ନିର୍ମାଣ ପାଇଁ ଅନୁମୋଦିତ ହୋଇଛି । ସୋକ୍ପିଟ୍ ନିର୍ମାଣ ପାଇଁ ୫ ହଜାର ଟଙ୍କା ବିନିମୟରେ ୬ଟି ନନ୍ଦ ଓ ଏକ ଘୋଡଣୀ ମିଶି ୭ଟି ପକାଯିବାର ବିଭାଗୀୟ ଅଧିକାରୀ ତାଗିଦ୍ କରୁଥିଲା ବେଳେ ପଂଚାୟତର ରାଜନୈତିକ ଠିକାଦାରମାନେ ମାତ୍ର ୪ ପଟ ନନ୍ଦ ଓ ଏକ ଘୋଡଣୀ ଦେଇ ହିତାଧିକାରୀଙ୍କ ଠାରୁ ୨ ଶହ ଟଙ୍କା ମଧ୍ୟ ଆଦାୟ କରୁଥିବା ନଜିରକୁ ଆସିଛି । ସରକାରଙ୍କ ପକ୍ଷରୁ ଏହି ଯୋଜନା ଯୋଗାଇ ଦିଆଯାଉଥିଲା ବେଳେ ପଂଚାୟତର କୁଜିନେତାମାନେ ହିତାଧିକାରୀଙ୍କ ଠାରୁ ଅର୍ଥ ଆଦାୟ କରିବାର କି ସ୍ୱାର୍ଥ ରହିଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି ।ପ୍ରକାଶ ଥାଉକି, ଆବର୍ଜନା କୁଣ୍ଡ ନିର୍ମାଣରେ ସରକାରୀ ନିୟମକୁ ଉଲଘଂନ କରି ଠିକାଦାରମାନେ ନିଜ ଇଚ୍ଛା ମୁତାବକ ଆବର୍ଜନା କୁଣ୍ଡ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଏପରିକି ଏହି ବ୍ଲକରେ କାମର ଅନିୟମିତତା ହୋଇଥିବା ସୂଚନା ଅଧିକାର ଆଇନରୁ ଜଣାପଡିଛି । କଟକ ଜିଲ୍ଲାପାଳ ଓ ଭିଜିଲାନ୍ସ ପକ୍ଷରୁ ଏହି କାମର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି ।
