ସରକାରକା ମାଲ ଦରିଆ ମେ ଡାଲ : ୧୫ନଂ ୱାର୍ଡରେ ଜଳ ଅମଳ ପ୍ରକଳ୍ପ ଭାଙ୍ଗି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ
ବାଲେଶ୍ୱର : ବାଲେଶ୍ୱର ପୌରପାଳିକାର ଏବେ ବାପା ମାଆ ନଥିବା ଭଳି ମନେ ହେଉଛି । ରାଜ୍ୟସରକାର ବର୍ଷାଜଳ ସଂରକ୍ଷଣ ପାଇଁ ୧୫ ୱାର୍ଡର ଶାନ୍ତିକାନନ ନିକଟରେ ଏକ ଜଳ ଅମଳ ପ୍ରକଳ୍ପ ପାଇଁ ଏକଲକ୍ଷ ୭୦ ହଜାର ଟଙ୍କା ମଂଜୁର କରିଥିଲେ । ମୁଖ୍ୟମନ୍ତ୍ରୀ ଗତବର୍ଷ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସ୍ଥାନୀୟ ଏକ ମହିଳା ସ୍ୱେଚ୍ଛାସେବୀ ସଂଗଠନ ଏହି ଜଳ ଅମଳ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିଲା । କାମ ମଧ୍ୟ ସରିବା ଉପରେ ରହିଥିଲା । ତେବେ ପୌରପାଳିକା ପକ୍ଷରୁ ଉକ୍ତ ଜଳ ଅମଳ ପ୍ରକଳ୍ପ ସ୍ଥାନୀରେ ତଡାତଡି କରିବାସହ ଗଛକାଟି ଏବେ ଏକ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଯୋଜନା ହାତକୁ ନେଇଛନ୍ତି ।
୧୫ ନଂ ୱାର୍ଡରେ କାମ କରୁଥିବା ମୁସ୍କାନ ନାମକ ଏସ୍ଏଚ୍ଜି ଗ୍ରୁପ୍ ଜଳ ଅମଳ ପ୍ରକଳ୍ପ ହାତକୁ ନେଇଥିବା ବେଳେ ଠିକାଦାର ଏବଂ ସ୍ଥାନୀୟ କାଉନ୍ସିଲର ସନ୍ଧ୍ୟାରାଣୀ ଜେନା ଏବେ ଅଙ୍ଗନବାଡୀ କାମରେ ମାତିଥିବା ସ୍ଥାନୀୟ ପୂର୍ବତନ କାଉନ୍ସିଲର ଉପେନ୍ଦ୍ର ଶତପଥି ଅଭିଯୋଗ କରିଛନ୍ତି । ଫଳରେ ଜଳ ଅମଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ବରବାଦ ହୋଇଛି । ଗ୍ରାମବାସୀ ଏହାକୁ ନେଇ ତିବ୍ର ବିରୋଧ କରୁଥିଲେ ମଧ୍ୟ ନିର୍ବାହୀ ଅଧିକାରୀ କିମ୍ବା ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ ସେମାନଙ୍କ ଅଭିଯୋଗକୁ ଶୁଣୁ ନଥିବା ଚର୍ଚ୍ଚା ହେଉଛି । ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶାନ୍ତିକାନନ ପରିସରକୁ ପୌରପାଳିକା କର୍ତୃପକ୍ଷ ବିଗତ ୩୦ବର୍ଷ ମଧ୍ୟରେ ସଂକୁଚିତ କରି ସେଠାରେ ଏକ ପ୍ରାଥମିକ ବିଦ୍ୟାଳୟ ଓ ମୁନିସିପାଲଟି ପକ୍ଷରୁ କଲୋନି ସ୍ଥାପନ କରାଯାଇଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ମଧ୍ୟ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ତେବେ ଏନେଇ ନିର୍ବାହୀ ଅଧିକାରୀ, ସ୍ଥାନୀୟ କାଉନସିଲର କିମ୍ବା ପୌରାଧ୍ୟକ୍ଷାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
