ଅଗ୍ନିପଥ ଯୋଜନା : ଜନ୍ତରମନ୍ତରରେ କଂଗ୍ରେସର ସତ୍ୟାଗ୍ରହ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ସେନାରେ ନିଯୁକ୍ତି ନେଇ ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାକୁ ଏବେ ସାରା ଦେଶରେ ବିରୋଧ କରାଯାଉଛି । କେବଳ ବିରୋଧ ପ୍ରଦର୍ଶନ ନୁହେଁ ବରଂ ଆଶାୟୀ ଯୁବକମାନେ ପ୍ରଦର୍ଶନ ବେଳେ ହିଂସା କରୁଥିବା ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗରେ ଆଜି ସାମ୍ନାକୁ ଆସିଛି କଂଗ୍ରେସ । ଦଳ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସତ୍ୟାଗ୍ରହ କରାଯାଉଛି । ଏହି ସତ୍ୟାଗ୍ରହରେ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ପୋଷ୍ଟ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ।
ରାହୁଲ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି କି, କେନ୍ଦ୍ର ସରକାର ବାରମ୍ବାର ନିଯୁକ୍ତି ଦେବା ନାମରେ ଦେଶରେ ବେରୋଜଗାରଙ୍କୁ ପ୍ରତାରିତ କରୁଛନ୍ତି । ମୋଦୀ ସରକାର ଦେଶର ବେରୋଜଗାର ଯୁବକଙ୍କୁ ଅଗ୍ନିପଥ ଉପରେ ଚାଲିବାକୁ ବାଧ୍ୟ କରୁଛନ୍ତି । ଏହା ସହ ସେ କହିଛନ୍ତି କି ମୋଦୀ ସରକାର ଶାସନର ୮ ବର୍ଷ ମଧ୍ୟରେ କେବଳ ଯୁବକମାନଙ୍କୁ ପକୁଡି ଛାଣିବାର ଜ୍ଞାନ ବାଣ୍ଟୁଛନ୍ତି । ଏହାସହ ଦେଶର ଏଭଳି ପରିସ୍ଥିତି ପାଇଁ କେବଳ ପ୍ରଧାନମନ୍ତ୍ରୀ ଦାୟୀ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।ସେପଟେ ଆରଜେଡି ନେତା ତେଜସ୍ୱୀ ଯାଦବ ବି ଏହି ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ସଠିକ ଯୋଜନା ପ୍ରସ୍ତୁତ ନ କରି କେନ୍ଦ୍ର ସରକାର ଏଭଳି ଯୋଜନା ଘୋଷଣା କରିବା ଠିକ୍ ନୁହେଁ । ଏହାସହ ଏହି ଯୋଜନାରେ ବାସ୍ତବିକ କଣ ରହିଛି ସେନେଇ ଦେଶର ଯୁବକମାନଙ୍କ ମଧ୍ୟରେ ଥିବା ସନ୍ଦେହ ଦୂର କରନ୍ତୁ ମୋଦୀ ସରକାର ।
