୧୦ ଦଫା ଦାବିରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବୌଦ୍ଧ ବନ୍ଦ
ବୌଦ୍ଧ : କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବୌଦ୍ଧ ଜିଲା ବନ୍ଦ ଡକରା । ୧୦ ଦଫା ଦାବିରେ ସୋମବାର ସକାଳ ୬ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି । ବନ୍ଦ ପ୍ରଭାବରେ ବେସରକାରୀ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ବୌଦ୍ଧ ଜିଲ୍ଲା ୧୯୯୪ ମସିହାରୁ ନୂତନ ଜିଲ୍ଲା ଭାବେ ମାନ୍ୟତା ପାଇଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ମୁଖ୍ୟ ଦାବି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଅପସାରଣ କରାଯାଇ ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଆୟୁକ୍ତରେ ସାମିଲ କରିବା ପାଇଁ କଂଗ୍ରେସ ଦାବି କରିଛି ।
ସେହିପରି ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ ଆଉଏକ ନୂତନ ସବଡିଭିଜନ, ଜିଲ୍ଲା ପରିଷଦ ଜୋନ୍ ସଂଖ୍ୟା ୯ ରୁ ୧୮କୁ ବୃଦ୍ଧି କରିବା, ଆଉ ତିନୋଟି ବ୍ଲକ ସ୍ଥାପନ କରିବା, ଜିଲ୍ଲାରେ ସମୁଦାୟ ୬୯ ଟି ପଞ୍ଚାୟତ ରହିଥିବା ବେଳେ ଏହାକୁ ବୃଦ୍ଧି କରି ୧୨୧ ଟି ପଂଚାୟତ ଗଠନ କରିବା ପାଇଁ ଦାବି ହୋଇଛି । ସେହିପରି ବୌଦ୍ଧ ବିଜ୍ଞାପିତ ଅଞ୍ଚଳକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ସହ ଜିଲ୍ଲାରେ ଆଉ ୪ଟି ଅଞ୍ଚଳକୁ ଏନଏସି ମାନ୍ୟତା ଦାବି ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲାରେ ଆଉ ୪ଟି ନୂତନ ଥାନା ପ୍ରତିଷ୍ଠା ନେଇ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
