ଓମିକ୍ରନକୁ ନେଇ ବଢିଲା ଚିନ୍ତା : ବେଙ୍ଗାଲୁରୁ ଆସିଥିବା ୧୦ ଆଫ୍ରିକୀୟଙ୍କ ମିଳୁନି ପତ୍ତା
ବେଙ୍ଗାଲୁରୁ : ଓମିକ୍ରନକୁ ନେଇ ବଢିଲା ଚିନ୍ତା । କର୍ଣ୍ଣାଟକର ବେଙ୍ଗାଲୁରୁରୁ ଦକ୍ଷିଣ ଆଫ୍ରିକାର ଭାରିଆଣ୍ଟ ଓମିକ୍ରନର ଦୁଇଟି ମାମଲା ରିପୋର୍ଟ ହେବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏପଟେ ଆଫ୍ରିକାରୁ ଆସିଥିବା ୧୦ ଜଣ ବିଦେଶୀ ନାଗରିକଙ୍କ ପତ୍ତା ମିଳୁନାହିଁ। ତାଙ୍କ ସହ ଯୋଗାଯୋଗ କରିବାକୁ ପ୍ରଶାସନ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ଫୋନ ବି ଲାଗୁନି । ଏପରି ସ୍ଥିତରେ ସେମାନଙ୍କୁ ଟ୍ରାକିଂ କରିବା ଏଠାକାର ପ୍ରଶାସନ ପାଇଁ କଷ୍ଟକର ହୋଇପଡିଛି । ଯାହାକୁ ନେଇ ଚିନ୍ତାରେ ବେଙ୍ଗାଲୁରୁ ସ୍ବାସ୍ଥ୍ୟ ବିଭାଗ ।
ସୂଚନା ଯେ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଆଫ୍ରିକାରୁ ବେଙ୍ଗାଲୁରୁକୁ ୫୭ ଜଣ ଯାତ୍ରୀ ଆସି ପହଞ୍ଚିଲେଣି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ କୌଣସି ପତ୍ତା ମିଳୁନାହିଁ । ବିମାନବନ୍ଦରରେ ଆସି ପହଞ୍ଚିବା ସମୟରେ ଯେଉଁ ଠିକଣା ଲେଖିଥିଲେ ସେ ସ୍ଥାନରେ ମଧ୍ୟ ତାଙ୍କର ଦେଖା ମିଳୁନି । ତେବେ ଏହାକୁ ନେଇ ରାଜ୍ୟବାସୀ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପଟେ ପୂର୍ବରୁ କର୍ଣ୍ଣାଟକରେ ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ମାମଲା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର କହିଛି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ବିଦେଶୀ ନାଗରିକ ଯିଏ ଦେଶ ଛାଡିସାରିଛନ୍ତି ଏବଂ ଅନ୍ୟ ଜଣେ କର୍ଣ୍ଣାଟକର ସ୍ଥାନୀୟ ବାସିନ୍ଦା ଯାହାର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ।
