ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ : ଜୁଡୋ ଫାଇନାଲରେ ସୁଶୀଲା ଦେବୀ, ପଦକ ପକ୍କା
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ୪୮ କେଜି ମହିଳା ଜୁଡୋରେ ଭାରତର ସୁଶୀଲା ଦେବୀ ଇତିହାସ ରଚିଛନ୍ତି । ସେ ମରିସସର ପ୍ରିସକିଲ୍ଲାଙ୍କୁ ସଂପୂର୍ଣ୍ଣ ଭାବେ ଧରାଶାୟୀ କରି ଫାଇନାଲ ଟିକେଟ ହାତେଇଛନ୍ତି। ଏଥିସହ ଭାରତ ପାଇଁ ଜୁଡୋରେ ରୌପ ପଦକ ପକ୍କା କରିଛନ୍ତି। ତେବେ ସୁଶୀଲା ଦେବୀ ଯେଉଁ ଫର୍ମରେ ଅଛନ୍ତି, ତାଙ୍କ ଠାରୁ ଦେଶ ସ୍ୱର୍ଣ୍ଣ ପଦକ ଆଶା ରଖିଛି।
ସୁଶୀଲା ଦେବୀ ଆଜି ମରିସସର ପ୍ରିସକିଲ୍ଲାଙ୍କୁ ଇପୋନ ଜରିଆରେ ହରାଇଛନ୍ତି। ଜୁଡୋରେ ଇପୋନ ହେଉଛି ସବୁଠାରୁ ଅଧିକ ପଏଣ୍ଟ ଦେଉଥିବା ଟେକନିକ। ଯେତେବେଳେ ଜଣେ ଖେଳାଳି ନିଜର ଟେକନିକ ବଳରେ ପ୍ରତିପକ୍ଷଙ୍କୁ ସଂପୂର୍ଣ୍ଣ ଭାବେ ଧରାଶାୟୀ କରନ୍ତି, ସେତେବେଳେ ହିଁ ଇପୋନ ମିଳିଥାଏ। ସୁଶୀଲା ଦେବୀ ସେହି କଳା ଆଜିର ମ୍ୟାଚରେ ଦେଖାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ୫୭ କେଜି ମହିଳା ବର୍ଗରେ ଭାରତର ସୁଚିକା ଟାରିୟାଲ ସେମି ଫାଇନାଲରେ ହାରି ଯାଇଛନ୍ତି। କିନ୍ତୁ ସେ ରିପେଜର ପ୍ରଥମ ରାଉଣ୍ଡରେ ଦକ୍ଷିଣ ଆଫ୍ରିକାର ଡୋନେ ବିଙ୍କୁ ହରାଇ ଦେଇଛନ୍ତି। ଏବେ ସେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବେ। ସେହିପରି ଭଳି ପୁରୁଷ ୬୦ କେଜି ଜୁଡୋରେ ଭାରତର ବିଜୟ କୁମାର ଯାଦବ ବ୍ରୋଞ୍ଜ ପଦକ ପାଇଁ ଖେଳିବେ। ସେ ରିପେଚ ରାଉଣ୍ଡରେ ମରିସସର ୱିନସଲେ ଗାଙ୍ଗାୟାଙ୍କୁ ହରାଇ ପଦକ ଦୌଡ଼ରେ ନିଜକୁ ସାମିଲ କରି ପାରିଛନ୍ତି।
ସୂଚନା ଯେ, ସୁଶୀଲା ଦେବୀ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ସେହିପରି ଟୋକିଓ ଅଲିମ୍ପିକ୍ସରେ ସେ ଏକମାତ୍ର ଭାରତୀୟ ଜୁଡୋ ଖେଳାଳି ଭାବେ ଭାଗ ନେଇଥିଲେ। ତେବେ ତାଙ୍କୁ ପ୍ରଥମ ରାଉଣ୍ଡରେ ହିଁ ହାରିବାକୁ ପଡ଼ିଥିଲା। ଏବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜର ଜଲୱା ଦେଖାଇଛନ୍ତି।
