ଫ୍ୟାମିଲି ଲୋନ୍ ଆବେଦନ କରି ଠକେଇର ଶିକାର ହେଲେ କଲେଜ ଛାତ୍ର! ୪ ଲକ୍ଷ ୪୨ ହଜାର ଟଙ୍କା ଲୁଟ
କନ୍ଧମାଳ: ଅନ୍ଲାଇନ ଠକେଇର ଶିକାର ହେଲେ କଲେଜ ଛାତ୍ର। ଗୋଲ ହେଇଗଲା ତିନିଟି ବ୍ୟାଙ୍କ ଆକାଉଣ୍ଟ। ଲୋନ ନାମରେ ୪ ଲକ୍ଷ ୪୨ ହଜାର ଟଙ୍କା ଲୁଟ ହୋଇଥିବା କନ୍ଧମାଳ ଜିଲା ଜି ଉଦୟଗିରିରେ ଅଭିଯୋଗ ହୋଇଛି। ଅନ୍ଲାଇନ ଠକେଇର ଶିକାର ହୋଇ ୪ ଲକ୍ଷ ୪୨ ହଜାର ଟଙ୍କା ହରେଇଛନ୍ତି କନ୍ଧମାଳ ଜିଲା ଜି ଉଦୟଗିରି ସହରର ଜଣେ ଯୁକ୍ତ ଦୁଇ ଛାତ୍ର। ଏକ ଫ୍ୟାମିଲି ଲୋନ ଆବେଦନ କରି ଛାତ୍ର ଜଣକ ଏଭଳି ଠକେଇର ଶିକାର ହୋଇଛନ୍ତି। ତେବେ ଏହି ଲୋନ ଆପଟି ହରିୟାଣାର ଫରିଦାବାଦସ୍ଥିତ ଏକ କମ୍ପାନୀ ଦ୍ଵାରା ପ୍ରସାରିତ ହୋଇଥିବା ଠକେଇର ଶିକାର ହୋଇଥିବା ଛାତ୍ର ଜଣକ କହିଛନ୍ତି।
ସୂଚନା ଯେ, ଛାତ୍ର ଜଣକ ମୋବାଇଲ ପ୍ଲେ ଷ୍ଟୋରରୁ ଏକ ଫ୍ୟାମିଲି ଲୋନ ଆପ୍ ଡାଉନଲୋଡ୍ କରିଥିଲେ। ଅର୍ଥ ଆବଶ୍ୟକ ଥିବାରୁ ଉକ୍ତ ଆପ ମାଧ୍ୟମରେ ୬୦ ହଜାର ଟଙ୍କା ଲୋନ୍ ପାଇଁ ଆବେଦନ କରିଥିଲେ। କମ୍ପାନୀ ତରଫରୁ ୬୦ ହଜାର ଲୋନ ମଞ୍ଜୁର ସୂଚନା ମିଳିବା ପରେ ସର୍ଭିସ ଚାର୍ଜ ବାବଦକୁ ଦଶ ପ୍ରତିଶତ ହିସାବରେ ୬ ହଜାର ଡିପୋଜିଟ କରିବାକୁ ପଡ଼ିବ ବୋଲି ଫ୍ୟାମିଲ ଆପ୍ କର୍ତ୍ତୃପକ୍ଷ କହିଥିଲେ। ଏଥିରେ ରାଜି ହୋଇ ଛାତ୍ର ଜଣକ ୬ ହଜାର ଜମା କରିଥିଲେ।
ଟଙ୍କା ଜମା କରିବାର ତିନି ଦିନ ମଧ୍ୟରେ ଛାତ୍ର ଜଣକ କମ୍ପାନୀ କଥାରେ ପଡ଼ି ତାଙ୍କ ନିଜ ଆକାଉଣ୍ଟ ସହ ମାଆ ବାପାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ। ଏପରକି ମୋବାଇଲକୁ ଆସିଥିବା ଓଟିପି ମଧ୍ୟ ଦେଇଥିଲେ। ଫଳରେ ତିନୋଟି ଆକାଉଣ୍ଟରୁ ଅନଲାଇନ ଲୁଟେରା ୪ ଲକ୍ଷ ୪୨ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଅନ୍ଲାଇନ ଠକେଇ ନେଇ ଛାତ୍ର ଏବଂ ଅଭିଭାବକ ଏବେ ଜି ଉଦୟଗିରି ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଜି ଉଦୟଗିରି ସହରରେ ବାରମ୍ବାର ଏଭଳି ଠକେଇ ଘଟଣା ସାମ୍ନାକୁ ଆସୁଥିବାରୁ ପୋଲିସ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।
