ବିଶ୍ୱକପ୍ ହକି ଉତ୍ସବ ପୂର୍ବ ପ୍ରସ୍ତୁତି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ୱରାନ୍ୱିତ ନେଇ ସିଏମସିର ବୈଠକ
ପେଣ୍ଟିଙ୍ଗ୍ରେ ଚମକିବ ସମସ୍ତ ଫ୍ଲାଏ ଓଭର ଓ ରିଙ୍ଗବନ୍ଧ କାନ୍ଥ
ଜାନୁଆରୀ ପ୍ରଥମ ସପ୍ତାହରେ ପହଂଚିବ ଇଭେଣ୍ଟ ମ୍ୟାନେଜମେଣ୍ଟ ଟିମ୍
ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଚିତ୍ରକଳା କାର୍ଯ୍ୟ
କଟକ : ଆସନ୍ତା ଜାନୁଆରୀ ୧୧ରେ ବାରବାଟୀ ଷ୍ଟାଡିୟମଠାରେ ଧୂମ୍ଧାମ୍ ସହକାରେ ପାଳିତ ହେବାକୁ ଯାଉଛି ବିଶ୍ୱକପ୍ ହକି-୨୦୨୩ ଉଦଘାଟନୀ ଉତ୍ସବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଶିଖରପୁର ଗୁରୁଦ୍ୱାର ନିକଟରୁ ବିଡାନାସୀ ପର୍ଯ୍ୟନ୍ତ ଓ ଗଡଗଡିିଆ ଘାଟ ନିକଟରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଆଗେଇ ଚାଲିଥିଲା ବେଳେ ଏବେ ସହରର ସମସ୍ତ ଫ୍ଲାଏ ଓଭର, ନଦୀବନ୍ଧ କାନ୍ଥ ଓ ସହରକୁ ସଂଯୁକ୍ତ କରୁଥିବା ପୋଲଗୁଡିକର କାନ୍ଥକୁ ପେଣ୍ଟିଙ୍ଗରେ ଭରିଦିଆଯିବ ବୋଲି ସିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି । ଆଜି ଅନୁଷ୍ଠିତ ଏକ ବୈଠକରେ ଉପରୋକ୍ତ ନିଷ୍ପତି ନିଆଯିବା ସହ ଏହି ପେଣ୍ଟିଙ୍ଗ କାର୍ଯ୍ୟ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରକୁ ଅଧିକ ଆକର୍ଷଣୀୟ କରିବା ଲାଗି ଏକପ୍ରକାରର ରଙ୍ଗର ବ୍ୟବହାର କରାଯିବା ସହ ହକି ବ୍ରାଣ୍ଡିଂ କାର୍ଯ୍ୟ ଠିକ ଭାବେ ପରିଚାଳନା କରିବାକୁ ଗୁୁରୁତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମ ପୂର୍ବରୁ କଟକ ସହରକୁ ଏକ ନୂଆ ରୂପରେ ପ୍ରସ୍ତୁତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ସଂସ୍କୃତି, ପରମ୍ପରା ଓ କଳାକୁ ଏହି ପେଣ୍ଟିଙ୍ଗ୍ରେ ସ୍ଥାନିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ବିଶେଷକରି ଚିତ୍ରକଳାରେ ହକିର ବର୍ଣ୍ଣନା ସହ କଟକ ସହରର ଇତିହାସ ଓ ଅନ୍ୟାନ୍ୟ କ୍ରୀଡା ସଂକ୍ରାନ୍ତ କାର୍ଯ୍ୟକଳାପ ସ୍ଥାନିତ କରିବାକୁ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଗୁରୁତ୍ୱାରୋପ କରିଥିଲେ ଓଏମପି, ଲିଙ୍କରୋଡ, ଶିଖରପୁର ଓ ପ୍ରେସ ଛକ ପାଖରେ ଥିବା ଫ୍ଲାଏ ଓଭରକୁ ଏହି ସୈାନ୍ଦର୍ଯ୍ୟକରଣରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏ ସମସ୍ତ ଫ୍ଲାଏ ଓଭରକୁ ସଫାସୁତୁରା କରାଯାଇ କଳାକାରଙ୍କ ରଙ୍ଗ ତୁଳୀରେ ଉପରୋକ୍ତ ଥିମ୍କୁ ନେଇ ଚିତ୍ର ପ୍ରଦର୍ଶିତ କରାଯିବ । ଏତଦ୍ ବ୍ୟତୀତ ନୂଆବଜାର, ଫୁଲନଖରା, ଜଗତପୁର, କଲେଜଛକ-ମାଲଗୋଦାମ ଫ୍ଲାଏ ଓଭର ସମେତ ରିଙ୍ଗ୍ରୋଡ୍ର ସମସ୍ତ ନଦୀବନ୍ଧ କାନ୍ଥକୁ ଚିତ୍ରକଳାରେ ଭରିଦିଆଯିବ । ତା’ଛଡା ସହରକୁ ସଂଯୋଗ କରୁଥିବା ନଦୀପୋଲ କାନ୍ଥରେ ହକି ସଂପର୍କିତ ଚିତ୍ରକଳା ଆଙ୍କିବାକୁ ବୈଠକରେ ଉପସ୍ଥିତ ଥିବା ଚିତ୍ରକରମାନଙ୍କୁ ପରାମର୍ଶ ଦିଆଯିବା ସହ ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ ପାଇଁ କୁହାଯାଇଥିଲା । ହେବାକୁ ଥିବା ଏହି ହକି ଉତ୍ସବରେ ଯୋଗଦେବା ପାଇଁ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ଟିମ୍ ଓ କଳାକାରମାନେ ଜାନୁଆରୀ ପ୍ରଥମ ସପ୍ତାହରେ କଟକ ସହରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ସିଏମ୍ସି କମିଶନର ଶ୍ରୀ କଲ୍ୟାଣଙ୍କ ସମେତ ଅତିରିକ୍ତ କମିଶନର ଅନାମ ପାତ୍ର, ଡେପୁଟି କମିଶନର ସଂଜୀବୀତା ରାୟ, ଡେପୁଟି କମିଶନର ଅମୀୟ ପଣ୍ଡା, ସିଟି ଇଂଜିନିୟର ଅତନୁ ସାମନ୍ତ, ନିର୍ବାହୀ ଯନ୍ତ୍ରୀ ଦିବ୍ୟରଂଜନ ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ନନ୍ଦକିଶୋର ପାଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ଧୀରେନ୍ଦ୍ର କୁମାର ପ୍ରଧାନଙ୍କ ସହ ପିଏମୟୁର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
