ସିଏମସି କାଉନସିଲ ଏକବର୍ଷ ପୂର୍ତ୍ତିରେ ମେୟର ସଫଳତାର ମିଥ୍ୟା କାହାଣୀ କହି ଭଣ୍ଡାଉଛନ୍ତି-ଗିରିବାଳା
କଟକ : କଟକ ମହାନଗର ନିଗମ(ସିଏମସି) କାଉନସିଲକୁ ଏକ ବର୍ଷ ପୂର୍ତ୍ତି ଅବସରରେ ମେୟର ସୁବାସ ସିଂହ ସହରବାସୀଙ୍କୁ ନିଜର ସଫଳତା ଦର୍ଶାଇବାକୁ ଯାଇ ଗୁଡିଏ ମିଥ୍ୟା କାହାଣୀ ଅବତାରଣା କରିଛନ୍ତି ବୋଲି ପୂର୍ବତନ ନଗର କଂଗ୍ରେସ ସଭାପତି ତଥା ମେୟର ପ୍ରାର୍ଥିନୀ ଗିରିବାଳା ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । କଟକର ମୁଖ୍ୟ ସମସ୍ୟା ରାସ୍ତାଘାଟ, ନାଳନର୍ଦ୍ଦମା ସଫେଇ, ବର୍ଷାଜଳ ନିଷ୍କାସନ, ମଶା ନିରାକରଣ, ରାସ୍ତା ଆଲୋକ, ପାନୀୟ ଜଳ, ଭତ୍ତା, ଭେଣ୍ଡିଂ ଜୋନ ଆଦି ରହିଥିବା ବେଳେ ମେୟର ଶ୍ରୀ ସିଂହ ସେସବୁ ଦିଗ ଉପରୁ ଦୃଷ୍ଟି ହଟାଇ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପଗୁଡିକୁ ନିଜର କୃତିତ୍ୱ ବୋଲି କହି କଟକିଆଙ୍କୁ ଭଣ୍ଡାଉଛନ୍ତି ବୋଲି ଗିରିବାଳା ପ୍ରକାଶ କରିଛନ୍ତି । ମେୟର ଏସସିବିକୁ ବିଶ୍ୱସ୍ତରୀୟ, ଚଣ୍ଡିମନ୍ଦିର ସୈାନ୍ଦର୍ଯ୍ୟକରଣ, ତାଳଦଣ୍ଡା କେନାଲ ପୁନରୁଦ୍ଧାର, ନେତାଜୀ ବସ ଟର୍ମିନାଲ ଆଦି ତାଙ୍କ ଉଦ୍ୟମ ପାଇଁ ହେଉଛି ବୋଲି ଗଣମାଧ୍ୟମରେ କହିବା ତାଙ୍କର କପୋଳକଳ୍ପିତ କାହାଣୀ । ବିଧାୟକ ମହମ୍ମଦ ମୋକିମଙ୍କ ବାରମ୍ବାର ବିଧାନସଭାରେ କଟକ ସହରର ଉନ୍ନତି କଥା ଉଠାଇବା ପରେ ଏସବୁ କାର୍ଯ୍ୟ ସମ୍ଭବ ହୋଇଛି । ବିଡାନାସୀ ମୁଖ୍ୟ ଡ୍ରେନ ପାଇଁ ବିଧାୟକ ବିଧାନସଭାରେ ଦାବି କରିବା ପରେ ନିର୍ମାଣ କାର୍ଯ୍ୟ ସମ୍ଭବ ହେଉଛି । କିନ୍ତୁ ମେୟର ବାବୁଙ୍କ ଅପାରଗତା ପାଇଁ ଆଜି ଏହି କାମ ଧିମା ଚାଲିଛି । ସେହିଭଳି ଗୋରାକବର ଉନ୍ନତିକରଣ ପାଇଁ ବିଧାୟକ ମୋକିମ ତାଙ୍କ ଉନ୍ନୟନ ପାଣ୍ଠିରୁ ସହଯୋଗ କଲା ପରେ କାମ ଆରମ୍ଭ ହୋଇଛି । ମେୟରଙ୍କ ଅପାରଗତା ହେତୁ ପାଣିପାଗ ଦ୍ୱାରା ବର୍ଷାର ପୂର୍ବାନୁମାନ କରାଯାଉଥିଲେ ବି ମୁଖ୍ୟ ଡ୍ରେନ ସଫା କରାଯାଉନାହିଁ । ପ୍ରତି ଘରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ ଆଦୌ କାର୍ଯ୍ୟକାରୀ ହୋଇନାହିଁ । ଜାଗା ମିଶନ କାର୍ଯ୍ୟ କେବଳ ଫଳକରେ ସୀମିତ । ମଶା ନିରାକରଣରେ ସିଏମସି ସଂପୂର୍ଣ୍ଣ ଭାବେ ଫେଲ ମାରିଛି । ସେହିପରି ବାଲିଯାତ୍ରା ପ୍ରସ୍ତୁତି ପାଇଁ ସିଏମସି ଯେଉଁ ଦାୟିତ୍ୱ ନେଇଥିଲା ସେଥିପାଇଁ ମହା ଘୋଟାଲା ହୋଇଥିବା ନେଇ ସହରର ବୁଦ୍ଧିଜୀବୀ, ପୂଜା କମିଟି, ଶାନ୍ତି କମିଟି ସମତ ବହୁ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ସେହିଭଳି ଐତିହାସିକ ଗଡଖାଇ ପୋତି ନିଜ କ୍ୱାର୍ଟରକୁ ରାସ୍ତା ନିର୍ମାଣ କରିବା ବିକାଶ ନା ବିନାଶର ମାର୍ଗ ବୋଲି ସେ ପ୍ରଶ୍ନ କରିଛନ୍ତି । ମିଥ୍ୟା ପ୍ରଚାର ଏବଂ କଟକ ସହରର ବିକାଶ ପ୍ରହସନରେ ପରିଗଣିତ ହୋଇଛି । ମେୟର ମହାଶୟ ଦାୟିତ୍ୱ ନେବାର ବାର୍ଷିକ ରିପୋର୍ଟ କାର୍ଡ ଦେବା ବାହାନାରେ ସହରବାସୀଙ୍କୁ ବାହାଦୁରି ବାଣ୍ଟିବା ପାଇଁ ପ୍ରୟାସ କରିଛନ୍ତି ଏବଂ କେବଳ ପ୍ରଚାର ଓ ପ୍ରସାରର ଗୋଟିଏ ବର୍ଷ ସରିଛି ବୋଲି ଶ୍ରୀମତୀ ବେହେରା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କର୍ପୋରେଟର ତଥା ସିଏମସି ବିରୋଧୀ ଦଳ ନେତା ସନ୍ତୋଷ କୁମାର ଭୋଳ, ଲିଜାରାଣୀ ରାଉତ, ଭାନୁ ସେନାପତି, ସ୍ୱର୍ଣ୍ଣପ୍ରଭା ପଶାୟତ, ସୁବାଶିଷ ପଟ୍ଟନାୟକ, ଜେ କାମେଶ୍ୱର ରାଓ, ବଟକୃଷ୍ଣ ସାହୁ, ଜନାର୍ଦ୍ଦନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
