ଜାନୁଆରୀ ୨୬ରେ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ଆସନ୍ତାବର୍ଷ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଉଦଘାଟିତ ହେବ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ସତ୍ୟବାଦୀ ଗସ୍ତରେ ଆସି ସେ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରିଛନ୍ତି । ଉତ୍କଳମଣି ପଣ୍ଡିତ ଗୋବପନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରେ ନିର୍ମାଣାଧୀନ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର, ଉତ୍କଳମଣିଙ୍କ ଷଠୀଘର, କୂଳଦେବତା ରାଧା ବିନୋଦ ବିହାରୀଙ୍କ ମନ୍ଦିର, ସଂଗ୍ରହାଳୟ, ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ ଏବଂ ଓଡିଶାର ସର୍ବୋଚ୍ଚ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳ ପରିଦର୍ଶନ କରିଛନ୍ତି । ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ଏହି ଉନ୍ନୟନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହେବ ବୋଲି କହିଛନ୍ତି । ପଟ୍ଟନାଇକିଆ ଛକ ନିକଟରେ ନିର୍ମାଣାଧୀନ ଅଭ୍ୟର୍ଥନା ଓ ସୂଚନା କେନ୍ଦ୍ର ମଧ୍ୟ ସେ ପରିଦର୍ଶନ କରିଥିଲେ।
୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର ନିର୍ମାଣ ସଂପର୍କରେ ମୁଖ୍ୟ ଶିଳ୍ପୀ ତ୍ରିନାଥ ମହାରଣାଙ୍କ ସହ ସେ ଆଲୋଚନା କରିିଥିଲେ। ଗ୍ରାମରେ ଭୂତଳ କେବୁଲରେ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଶେଷ ହୋଇଛି । ଗ୍ରାମ ଦାଣ୍ଡର ମଧ୍ୟ ଉନ୍ନତି କରଣ କରାଯିବ । ଡିସେମ୍ବର ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସେ ସତ୍ୟବାଦୀ ବକୁଳ ବନ ପରିସରରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ । ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚୀବ ଶ୍ରୀ ମହାପାତ୍ର ମଧ୍ୟ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଥିଲେ। ଖୁବଶୀଘ୍ର ସାକ୍ଷୀଗୋପାଳ ମନ୍ଦିର ଓ ବକୁଳ ବନର ଉନ୍ନୟନ କରାଯିବ। ସାକ୍ଷୀଗୋପାଳ ବଜାରରେ ଓଭର ବ୍ରିଜ଼ ନିର୍ମାଣ କରାଯିବ। ମନ୍ଦିର ବାଇପାସ ରାସ୍ତା ସମ୍ପ୍ରସାରଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ପୁରୀ ଜିଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡିଶା ସେତୁ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ, ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂହ, ବିଡ଼ିଓ ଲୋଚନ ଦାସ ଓ ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
