ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ, ଫୋକସରେ ରାଜ୍ୟ ପାଇଁ ଅଧିକରୁ ଅଧିକ ପୁଞ୍ଜି
ଟୋକିଓ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ଶିବି ଜର୍ଜ ଓ ଦୂତାବାସ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ଓଡ଼ିଶାରେ ଅଧିକ ଜାପାନୀ ପୁଞ୍ଜି ନିବେଶ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତର ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ଆଜି ନିପ୍ପନ ଷ୍ଟିଲ କର୍ପୋରେସନର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଇଜି ହାସିମୋତୋଙ୍କ ସହ ଓ୍ବାନ୍ ଟୁ ଓ୍ବାନ ଆଲୋଚନା କରିବେ ।
ଟୋକିଓରେ ଓଡ଼ିଶା ବିଜିନେସ୍ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ କରିବେ ନିମନ୍ତ୍ରଣ । ଓଡ଼ିଶା ବିଜନେସ ମିଟରେ ୨୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ସାମିଲ ହେବେ । ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ଅନୁକୂଳ ବାତାବରଣର ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ଜାପାନୀ ପୁଞ୍ଜି ନିବେଶକାରୀଙ୍କୁ କହିବେ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟସଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଯାଇଛନ୍ତି।
ଜାପାନରୁ କିପରି ଅଧିକ ପୁଞ୍ଜି ଆସିବ ତାହା ହେବ ନବୀନଙ୍କ ଫୋକସ । ଟେକ୍ନୋଲୋଜି, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ, ପେଟ୍ରୋ କେମିକାଲ, ପର୍ୟ୍ୟଟନଭିତ୍ତିକ ଶିଳ୍ପରେ ନିବେଶକାରୀମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିବେ । ଏଥିଲାଗି ଜାପାନର ୩ଟି ସହର ଟୋକିଓ, କ୍ବିଟୋ, ଏବଂ ଓସାକାରେ ଆୟୋଜିତ ବିଜିନେସ ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଏହାପରେ ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ସହ ରୋଡ୍ ସୋ ମାଧ୍ୟମରେ ଇନଭେଷ୍ଟର୍ସଙ୍କୁ ଆକୃଷ୍ଟ କରିବେ । ପୂର୍ବରୁ ରୋମ୍, ଦୁବାଇ ସହ ଦେଶର ସବୁ ରାଜ୍ୟର ରାଜଧାନୀରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ନିମନ୍ତ୍ରଣ କରି ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବାରେ ସଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଦୁବାଇରୁ ୨୧ ହଜାର କୋଟି ଟଙ୍କା ପୁଞ୍ଜି ଆସିଛି । ନବୀନଙ୍କ ଦୃଢ଼ ନେତୃତ୍ବ, ସ୍ଥିର ସରକାର, ପ୍ଲସ ଓ୍ବାନ୍ ସୁବିଧା ଓ ଓଡ଼ିଶା ଶିଳ୍ପ ହବ୍ ହୋଇଥିବାରୁ ନିବେଶକାରୀଙ୍କ ପ୍ରଥମ ପସନ୍ଦ ଏବେ ଓଡ଼ିଶା ସାଜିଛି । ଗତକାଲି ସିଙ୍ଗାପୁର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ସୂଚନା ଦେବା ସହ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଥିଲେ ୫ଞ ସଚିବ ଭିକେ ପାଣ୍ଡିଆନ ।
