‘ଓଡ଼ିଶା ଜଗରନଟ୍ସ’ର ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପେସାଦାର ଖୋଖୋ ଲିଗ୍ ‘ଅଲିଟିମେଟ୍ ଖୋଖୋ’ରେ ଭାଗନେବାକୁ ଯାଉଥିବା ଓଡ଼ିଶା ଭିତ୍ତିକ ଦଳ ‘ଓଡ଼ିଶା ଜଗରନଟ୍ସ’ର ଜର୍ସି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମ୍ରେ ଏଥିନେଇ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର୍. ଭିନିଲକ୍ରିଷ୍ଣା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳର ପ୍ରଶିକ୍ଷକ ଏବଂ ଖେଳାଳିଙ୍କ ସହ ଆଲୋଚନା କରିବା ସହ ଆଗାମୀ ଋତୁ ଲାଗି ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଟିମ୍ ଜଗରନଟ୍ସର ପ୍ରତ୍ୟେକ ସଦସ୍ୟଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଆପଣମାନେ ସମସ୍ତେ ଏବେ ଆମ ପରିବାରର ଜଣେ ଜଣେ ସଦସ୍ୟ। ଆଗାମୀ ଲିଗ୍ ଲାଗି ମୁଁ ଆପଣମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଆମେ, ଓଡ଼ିଆ ପ୍ରଶଂସକ ଓ ସମର୍ଥକ ଓଡ଼ିଶାରୁ ଆପଣମାନଙ୍କୁ ଉତ୍ସାହିତ କରିବୁ। ଆପଣମାନେ ପ୍ରଥମ ସଂସ୍କରଣ ଟ୍ରଫି ସହ ଫେରିବେ ବୋଲି ମୋର ଆଶା ଓ ବିଶ୍ବାସ ରହିଛି।’’ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦଳକୁ ଦେଉଥିବା ସମର୍ଥନ ଓ ସହଯୋଗ ପାଇଁ ମୁଖ୍ୟ ପ୍ରଶିକ୍ଷକ ଅଶ୍ବିନୀ କୁମାର ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଓଡ଼ିଶା ଏଫ୍ସି ଏକ ସନ୍ତୁଳିତ ଦଳ। ଏଥିରେ କନିଷ୍ଠ ଓ ବରିଷ୍ଠ ଜାତୀୟ ପ୍ରତିଯୋଗିତା ତଥା ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି। ଏଣୁ ପ୍ରଥମ ଋତୁରେ ଓଡ଼ିଶା ଜଗରନଟ୍ସ ନିଶ୍ଚିତ ଭାବେ ଭଲ କରିବ ବୋଲି କହିଥିଲେ ।
ଅଲଟିମେଟ୍ ଖୋଖୋ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିଲା ବେଳେ ଓଡ଼ିଶା ଜଗରନଟ୍ସ ପବିତ୍ର ସ୍ବାଧୀନତା ଦିବସରେ ଅର୍ଥାତ୍ ଅଗଷ୍ଟ ୧୫ ତାରିଖରେ ମହାରାଷ୍ଟ୍ରର ପୁଣେଠାରେ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ଲିଗ୍ ଅଗଷ୍ଟ ୧୪ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୧ ଦିନିଆ ପ୍ରତିଯୋଗିତାରେ ୬୦ ମ୍ୟାଚ୍ ୮ ଦଳ ମଧ୍ୟରେ ଖେଳାଯିବ। ଓଡ଼ିଶା କ୍ରୀଡ଼ା ବିକାଶ ଏବଂ ପ୍ରସାର କଂପାନି ମାଲିକାନାରେ ଥିବା ଓଡ଼ିଶା ଜଗରନଟ୍ସ ଦଳ ଲିଗ୍ର ପଞ୍ଚମ ଦଳ। ଅଶ୍ବିନୀ କୁମାର ଶର୍ମା ଦଳର ପ୍ରଶିକ୍ଷକ ଦାୟିତ୍ବରେ ଅଛନ୍ତି। ଓଡ଼ିଶା ଜଗରନଟ୍ସ ଦଳରେ ମୋଟ ୨୫ଜଣ ଖେଳାଳି ଥିଲା ବେଳେ ସେଥିମଧ୍ୟରେ ୬ଜଣ ହେଉଛନ୍ତି ଓଡ଼ିଆ। ସଂପୂର୍ଣ୍ଣ ଲିଗ୍ରେ କିନ୍ତୁ ଓଡ଼ିଶାର ୧୦ଜଣ ଖେଳାଳି ଖେଳୁଥିବାର ଦେଖିବାକୁ ମିଳିବେ।
ଓଡ଼ିଶା ଜଗରନଟ୍ସ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଦୀପେଶ ବିଜୟ ମୋରେ, ସୁରେଶ କୁମାର, ମିଳିନ୍ଦ ଡି ଚଭ୍ରେକର, ମହେଶ ପି, ସୁରଜ ଏଏସ୍ ଲଣ୍ଡେ, ସୁଭାଶିଷ ସନ୍ତ୍ରା, ଗୌତମ ଏମ୍କେ, ଆଦିତ୍ୟ କୁଦାଲେ, ନୀଲେଶ ଏ ଯାଦବ, ଶିବ କେ ସେନ୍, ବିଶାଲ, ଅର୍ଜୁନ ସିଂହ, ଟି ବିନୋଦ କୁମାର, ଲିପୁନ ମୁଖୀ, ମନୋଜ ଏନ୍ ଘୋଟେକର, ଦୀନେଶ ନାୟକ, ମୁକେଶ ପ୍ରଜାପତ, ସତୀଶ ଡି, ଜଗନ୍ନାଥ ମୁର୍ମୁ, ଦିଲୀପ ଖଣ୍ଡାଭି, ଅଭିନାଶ ଏସ୍ ଦେଶାଇ, ସ୍ବୟସ୍ ଏସ୍ ପରିଜା, ଗୁରଜିନ୍ଦର ସିଂହ, ସିଦ୍ଧେଶ୍ବର ଟୁଡୁ, ସୁକାନ୍ତ ସିଂହ। ଲିଲନ କୁମାର ସାହୁ (ପ୍ରବନ୍ଧକ), ଅଶ୍ବିନୀ କୁମାର ଶର୍ମା (ପ୍ରଶିକ୍ଷକ)।
